ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ହୀରାକୁଦ ଡ୍ୟାମରେ ଏବେ ଆଉ ଗେଟ ଖୋଲାଯିବନି । ତଳମୁଣ୍ଡରେ ବନ୍ୟାଜଳ ନଛାଡିବା ଯାଏଁ ଗେଟ ଖୋଲାଯିବନି ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ହୀରାକୁଦରେ ଏବେ ଜଳସ୍ତର ୬୧୦ ଫୁଟ ରହିଥିବା ବେଳେ ଛତିଶଗଡ଼ରେ ବର୍ଷା ଯୋଗୁଁ ଜଳସ୍ତର ରାଇଜିଂ ଟ୍ରେଣ୍ଡରେ ରହିଛି ବୋଲି ସେ କହିଛନ୍ତି। ତେବେ ତଳମୁଣ୍ଡରେ ବନ୍ୟାଜଳ ନଛାଡିବା ଯାଏଁ ଆଉ ଗେଟ ଖୋଲାଯିବନି ବୋଲି ସେ ସୂଚନା ଦେଇଛନ୍ତି।
ସେପଟେ, ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆସିବା ଆଶଙ୍କା କରାଯାଉଛି । ୬ଟି ଜିଲ୍ଲାକୁ ସତର୍କ କରାଯାଇଛି । ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ।
ତେବେ ବୈତରଣୀରେ ବନ୍ୟାଜଳ ଖସୁଛି । ଆଖୁଆପଦାଠାରେ ପାଣି କମୁଛି । ବ୍ରାହ୍ମଣୀରେ ଜଳସ୍ତର ବଢ଼ୁଛି କିନ୍ତୁ କିଛି ସମୟ ପରେ ତାହା ସ୍ଥିର ଅବସ୍ଥାକୁ ଆସିବାର ସମ୍ଭାବନା ରହିଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ପାଣି ଗତି କରିବ । ପୁରୀର କଣାସ, ଅସ୍ତରଙ୍ଗ, ଜଗତସିଂହପୁରର ଏରସମା ଓ ଭଦ୍ରକର ଆଖୁଆପଦାଠାରେ କିଛି ସ୍ଥାନରେ ତଳିଆ ଅଂଚଳରେ ପାଣି ପଶିଛି । ତଳମୁଣ୍ଡରେ ପାଣି ଗତି ନକରିବା ଯାଏଁ ହୀରାକୁଦରେ କୌଣସି ଗେଟ ଖୋଲାଯିବ ନାହିଁ ।





