ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ସେବା ବିଲ୍କୁ ନେଇ ଲୋକସଭାରେ ତର୍କ ଆରମ୍ଭ ହୋଇଛି। ଗୃହ ମନ୍ତ୍ରୀ ଅମିତ ଶାହ ଗୁରୁବାର ଏହି ପ୍ରସଙ୍ଗରେ ନାଁ ନନେଇ ଆମ୍ ଆଦମୀ ପାର୍ଟୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅମିତ ଶାହ କହିଛନ୍ତି ଦିଲ୍ଲୀରେ ୧୯୯୩ରୁ ବିଧାନସଭା ଆରମ୍ଭ ହୋଇଛି। ଆଉ ସେବେଠାରୁ କଂଗ୍ରେସ ଏବଂ ବିଜେପି ଉଭୟ ସରକାରରେ ଆସିଛନ୍ତି। କିନ୍ତୁ କେବେବି ଉଭୟଙ୍କ ମଧ୍ୟରେ କୌଣସି ବିବାଦ ହୋଇନାହିଁ। କିନ୍ତୁ ୨୦୧୫ରେ ଦିଲ୍ଲୀରେ ଏକ ଦଳ କ୍ଷମତାକୁ ଆସିଥିଲା ଯାହାର ଉଦ୍ଦେଶ୍ୟ କେବଳ ଲଢ଼ିବା ଥିଲା, ସେବା କରିବା ନୁହେଁ। ସମସ୍ୟା ବଦଳି କରିବାର ଅଧିକାର ନ ମିଳିବା ନୁହେଁ, ବରଂ ନିଜ ବଙ୍ଗଳା ନବୀକରଣ ରେ ହୋଇଥିବା ଦୁର୍ନୀତିକୁ ଲୁଚାଇବା ପାଇଁ ଭିଜିଲାନ୍ସ ବିଭାଗ ଉପରେ ନିୟନ୍ତ୍ରଣ ହାସଲ କରିବା ବୋଲି ଶାହ କହିଛନ୍ତି।
ନିଜ ପ୍ରତିକ୍ରିୟାରେ, ଅମିତ ଶାହ କହିଛନ୍ତି ଦିଲ୍ଲୀ ସଂପୂର୍ଣ୍ଣ ଭାବରେ ରାଜ୍ୟ ନୁହେଁ କି ସଂପୂର୍ଣ୍ଣ ଭାବେ କେନ୍ଦ୍ରଶାସିତ ଅଞ୍ଚଳ ନୁହେଁ। ସମ୍ବିଧାନର ଧାରା ୨୩୯ Aରେ ଏହାର ଉଲ୍ଲେଖ ରହିଛି ଯେ, କେନ୍ଦ୍ର ସରକାର ଏହା ପାଇଁ କୌଣସି ବି ଆଇନ ତିଆରି କରିପାରିବେ। ଅମିତ ଶାହ ଆହୁରି କହିଛନ୍ତି ” କିଛି ଲୋକ ସଂସଦରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କଥା କହିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଏହି ବିଲ୍ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି ବିରୋଧରେ। କିନ୍ତୁ ମୁଁ ସ୍ପଷ୍ଟ କରୁଛି ଯେ ଏହା ସର୍ବୋଚ୍ଚ ଅଦାଲତଙ୍କ ବିରୋଧରେ ନୁହେଁ । ପ୍ରକୃତରେ ଅଦାଲତ ମଧ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ୨୩୯ A ଅନୁଯାୟୀ କୌଣସି ପ୍ରସଙ୍ଗରେ ଦିଲ୍ଲୀକୁ ନେଇ ଆଇନ୍ ଗଢ଼ିବାର ଅଧିକାର ରହିଛି। ”
ଗୃହ ମନ୍ତ୍ରୀ କହିଛନ୍ତି ୧୯୧୧ରେ ଇଂରେଜମାନେ ମହରୌଲୀ ଏବଂ ଦିଲ୍ଲୀ ତହସିଲକୁ ମିଶାଇ ଦିଲ୍ଲୀ ଗଠନ କରିଥିଲେ। ଏହାକୁ ପଞ୍ଜାବରୁ ଅଲଗା କରି ତିଆରି କରାଯାଇଥିଲା। ପଟ୍ଟାଭି ସୀତାରମୈୟା ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ଭାବରେ ମାନ୍ୟତା ପାଇଁ ଦାବି କରିଥିଲେ। କିନ୍ତୁ ପଣ୍ଡିତ ଜବାହାରଲାଲ ନେହେରୁ, ସରଦାର ପଟେଲ, ରାଜେନ୍ଦ୍ର ପ୍ରସାଦ ଏବଂ ଆମ୍ବେଦକର ଏହାକୁ ବିରୋଧ କରିଥିଲେ। ନେହେରୁ କହିଥିଲେ ଦିଲ୍ଲୀରେ ତିନି ଚତୁର୍ଥାଂଶ ସମ୍ପତ୍ତି କେନ୍ଦ୍ର ସରକାରଙ୍କ ଅଧୀନ ରହିଛି। ଏମିତିରେ ଏହାକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯାଇପାରିବନାହିଁ। ଆମ୍ବେଦକର କହିଥିଲେ ଭାରତର ରାଜଧାନୀରେ କୌଣସି ପ୍ରକାରର ସ୍ଥାନୀୟ ପ୍ରଶାସନକୁ ମୁକ୍ତ ଅଧିକାର ଦିଆଯାଇପାରିବ ନାହିଁ।





