ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ସରକାରୀ ଅଧିକାରୀଙ୍କ ବଦଳି ଏବଂ ନିଯୁକ୍ତି ସଂକ୍ରାନ୍ତୀୟ ଅଧ୍ୟାଦେଶକୁ ଆଇନରେ ପରିଣତ କରିବାପାଇଁ ଅଣାଯାଇଥିବା ବିଲ୍‌ ଗୁରୁବାର ଲୋକସଭାରେ ବାଚନିକ ଭୋଟ୍‌ରେ ପାରିତ ହୋଇଯାଇଛି। ବିଲ୍‌ର ପ୍ରାବଧାନ ଅନୁଯାୟୀ ଉପରାଜ୍ୟପାଳ ହିଁ ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଏବଂ ନିଯୁକ୍ତି ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ। ବିଲ୍‌ ଗୃହୀତ ହେବାପରେ ବିରୋଧୀ ସାଂସଦମାନେ କକ୍ଷତ୍ୟାଗ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତ ମଙ୍ଗଳବାର ଲୋକସଭାରେ ଏହି ବିଲ୍‌ ଆଗତ କରିଥିଲେ।

ସେପଟେ ଗୁରୁବାର ଲୋକସଭାରେ ଆଜି ଦିଲ୍ଲୀ ସେବା ନିଯୁକ୍ତି ବିଲ୍‌ ଉପରେ ଆଲୋଚନା ସମୟ‌ରେ ଶାହ ଆପ୍‌ ଉପ‌ରେ ବର୍ଷିଛନ୍ତି। ଶାହ କହିଛନ୍ତି, ଆପ୍‌ ନିଜର ଦୁର୍ନୀତି ଲୁଚାଇବା ପାଇଁ ଦିଲ୍ଲୀ ସେବା ନିଯୁକ୍ତି ବିଲ୍‌କୁ ବିରୋଧ କରୁଛି। କେବଳ ଅଫିସରମାନଙ୍କ ବଦଳି ଏବଂ ନିଯୁକ୍ତି ଉପରେ ନିୟନ୍ତ୍ରଣ ପାଇଁ ଆପ୍‌ ଏହି ବିଲ୍‌କୁ ବିରୋଧ କରିନି ବରଂ ଭିଜିଲାନ୍ସକୁ ନିଜ ନିୟନ୍ତ୍ରଣରେ ରଖି ନିଜ ବଙ୍ଗଳା ନବୀକରଣ ଦୁର୍ନୀତି ସତକୁ ଲୁଚାଇବାପାଇଁ ଆପ୍‌ ବିଲ୍‌କୁ ବିରୋଧ କରୁଛି। ଦିଲ୍ଳୀରେ ବିଜେପି ଏବଂ କଂଗ୍ରେସ ସରକାର କିଭଳି ଅତୀତରେ ଏକାଠି କାମ କରିଛନ୍ତି ତାହା ଉଲ୍ଲେଖ କରି ଶାହ ଆପ୍‌କୁ କଟାକ୍ଷ କରିଛନ୍ତି। ସେ ସମସ୍ତ ଇଣ୍ଡିଆ ମେଣ୍ଟର ସାଂସଦଙ୍କୁ ଦିଲ୍ଲୀ ସଂକ୍ରାନ୍ତରେ ଚିନ୍ତା କରିବାପାଇଁ ମଧ୍ୟ କହିଛନ୍ତି। ସେ କହିଛନ୍ତି, ସମସ୍ତ ଦଳକୁ ଏହା ମୋର ଅନୁରୋଧ ଯେ କେବଳ ରାଜନୈତିକ ଫାଇଦାପାଇଁ ଏବଂ ନିର୍ବାଚନ ଜିତିବାପାଇଁ ଏଭଳି ରାଜନୀତିକୁ ସମର୍ଥନ କରିବା ଠିକ୍‌ ନୁହେଁ। ବିରୋଧୀ ସାଂସଦମାନେ ମେଣ୍ଟ ବଦଳରେ ଦିଲ୍ଲୀ କଥା ଚିନ୍ତା କରିବା ଏବଂ ଲୋକଙ୍କ ସ୍ବାର୍ଥକୁ ତ୍ୟାଗ ନକରିବାପାଇଁ ଶାହ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ଦିଲ୍ଲୀ ବିଲ୍‌କୁ ସମର୍ଥନ କରିବା ନେଇ ନିଜର ମତ ସ୍ପଷ୍ଟ କରିନଥିବା ସମୟରେ ଆପ୍‌ କହିଥିଲା ଯେ, ଯେପର୍ଯ୍ୟନ୍ତ କଂଗ୍ରେସ ଦିଲ୍ଲୀ ବିଲ୍‌ ସଂକ୍ରାନ୍ତରେ ମତ ସ୍ପଷ୍ଟ ନକରିଛି ଆପ୍‌ ବିରୋଧୀ ମେଣ୍ଟ ବୈଠକରେ ଯୋଗ ଦେବନି। ଆଉ ଶେଷରେ କଂଗ୍ରେସ ମଧ୍ୟ ଏହାକୁ ବିରୋଧ କରିବ ବୋଲି ସ୍ପଷ୍ଟ କରିଥିଲା।