ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ବିଜେଡି ସହ ମେଣ୍ଟ ହେବ ନାହିଁ ବୋଲି ଆଜି ପୁଣି ଜଣେ କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ଭୁବନେଶ୍ବରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ମୋତେ ଲାଗୁଛି ଓଡ଼ିଶାରେ ମେଣ୍ଟ ହେଲା ଭଳି କୌଣସି କଥା ନାହିଁ। ଏବେ ନାହିଁ କି ଆଗକୁ ବି ମେଣ୍ଟ ହେବନି ବୋଲି ଲାଗୁଛି। ଓଡ଼ିଶାରେ ବିଜେପିର ସ୍ଥିତି ସୁଦୃଢ଼ ଅଛି। ଏହି କାରଣରୁ ଆଗାମୀ ସାଧାରଣ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ।
ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ଏକାକୀ ଲଢ଼ିବ। ଏଠାରେ ବିଜେଡି କି ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବ ନାହିଁ ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗତକାଲି କହିଥିଲେ। ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତରରେ ଏଭଳି ପ୍ରତିକ୍ରିୟା ଦେଇଥିଲେ।
ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ରର ଏନ୍ଡିଏ ସରକାର ବିରୋଧରେ ସଂସଦରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବା ଏବଂ ଦିଲ୍ଲୀ ଜନସେବା ଆଇନକୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ବିଜେଡି-ବିଜେପି ସମ୍ପର୍କକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର୍ ଚର୍ଚ୍ଚା ଚାଲିଛି। ଗତକାଲି ମଧ୍ୟ ଓଡିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଓଡ଼ିଶାରେ ବିଜେପି-ବିଜେଡିର କୌଣସି ମେଣ୍ଟ ହେବନାହିଁ, ବିଜେପି ଏକାକୀ ସରକାର ଗଢ଼ିବ ବୋଲି କହିଥିଲେ |





