ଗୋପାଳ ଦାସ ସ୍କ୍ରିଜୋଫ୍ରେନିଆ ରୋଗରେ ଆକ୍ରାନ୍ତ, ତାକୁ ଫସାଇ ଦିଆଯାଇଛି: ଗୋପାଳର ଓକିଲ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଏବେ ଆରମ୍ଭ ହୋଇଛି ଅସଲ ଆଇନର ଲଢେଇ | ଆଉ ଅଭିଯୁକ୍ତ ଗୋପାଳ ଦାସର ମାମଲା ପରିଚଳନା କରୁଥିବା ଓକିଲ ନରେଶ ନାୟକ କ୍ରାଇମବ୍ରାଞ୍ଚ ଉପରେ ଆଜି ବଡ ଅଭିଯୋଗ ଆଣିଛନ୍ତି | କାହଁକି ମାମଲାରେ କ୍ରାଇମବ୍ରାଞ୍ଚ ଷଡଯନ୍ତ୍ର ଦିଗକୁ ନେଇ ତଦନ୍ତ କରିନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି | ଏପରିକି ଗୋପାଳକୁ ଫସାଇବା ପାଇଁ ମାମଲାରେ ଷଡଯନ୍ତ୍ର ଦଫା ଲଗାଯାଇନାହିଁ ବୋଲି ସେ କହିଛନ୍ତି |

ଏହାସହିତ ଗୋପାଳର ମାନସିକ ସ୍ଥିତି ନେଇ ଆରମ୍ଭରୁ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଏହାକୁ ନେଇ ସେ କହିଛନ୍ତି ଯେ, ଗୋପାଳ ଦାସ ନିର୍ଦୋଷ ଓ ଜଣେ ମାନସିକ ବିକୃତ ବ୍ୟକ୍ତି | ସେ ସ୍କ୍ରିଜୋଫ୍ରେନିଆ ରୋଗରେ ପୀଡିତ | ଆଉ ଏହି ରୋଗ ପାଇଁ ତାକୁ ଚୌଦ୍ୱାର ଜେଲରେ ଡାକ୍ତର ମେଡିସନ ମଧ୍ୟ ଦେଉଛନ୍ତି | ଆଉ ଏହାର ଫାଇଦା ନେଇ ଗୋପାଳକୁ ଏହି ମାମଲାରେ ଫସାଯାଇଥିବା ସେ କହିଛନ୍ତି | ତେଣୁ IPCର ଧାରା 84ର ବ୍ୟତିକ୍ରମ ଅନୁଯାୟୀ ଗୋପାଳକୁ ନିର୍ଦୋଷରେ ଖଲାସ କରାଯାଉ ବୋଲି ସେ କୋର୍ଟରେ ନିବେଦନ କରିଛନ୍ତି | ଏପରିକି ମାମଲାର ଫାଇନାଲ ଚାର୍ଜସିଟ ଦଖଲରେ ବିଳମ୍ବ ନେଇ ସେ କ୍ରାଇମବ୍ରାଞ୍ଚ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି |

ତେବେ ପ୍ରଥମରୁ ମାମଲାରେ କ୍ରାଇମବ୍ରାଞ୍ଚ ଷଡଯନ୍ତ୍ର ଦିଗରେ ତଦନ୍ତ ନକରିବା ନେଇ ପ୍ରଶ୍ନ ଉଠିଥିଲା | ଆଉ ଏବେ ସମାନ ଦିଗକୁ ଦର୍ଶାଇ ଗୋପାଳର ଓକିଲ ତାକୁ ନିର୍ଦୋଷ ବୋଲି ଦାବି କରିଛନ୍ତି | ଆଜି ଏହି ମାମଲାର ଶୁଣାଣି ହେବାର ଥିବାବେଳେ ଝାରସୁଗୁଡା ଜିଲ୍ଲା ଦୌରା ଜଜ ଛୁଟିରେ ଥିବାରୁ ଶୁଣାଣି ପରବର୍ତ୍ତୀ ତାରିଖକୁ ଘୁଂଚିଛି | ଏବେ ଏହି ବହୁ ଚର୍ଚ୍ଚିତ ମାମଲାର ଆଇନ ଗତ ଦିଗରେ ନୂଆ ମୋଡ଼ ଆସିବାପରେ ଆଗକୁ ଗୋପଳ ଦୋଷୀ ସାବ୍ୟସ୍ତ ହେଉଛି ନା ନିର୍ଦୋଷରେ ଖଲାସ ହେଉଛି ତାହା ଦେଖିବାକୁ ବାକି ରହିଲା |

Related Posts