ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବଢିବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ଚାଲିଛି ସ୍ୱତନ୍ତ୍ର ଅଭିଯାନ । ଡେଙ୍ଗୁ ରୋଗୀଙ୍କ ଲାଗି କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ସ୍ଵତନ୍ତ୍ର ଟେଷ୍ଟିଂ ସେଣ୍ଟର । ଏହା ସହ ରାଜଧାନୀର 4 ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)ରେ ଡେଙ୍ଗୁ ୱାର୍ଡ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି ।
ବର୍ତ୍ତମାନ ଦୈନିକ ପ୍ରାୟ 500 ଲୋକଙ୍କର ଡେଙ୍ଗୁ ଟେଷ୍ଟ ହେଉଛି । ଭିଡ଼ ଏଡ଼ାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ । ସେ କହିଛନ୍ତି, ଏବେ ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ 60-70 ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି । ସେଥିମଧ୍ୟରୁ ପ୍ରାୟ 15 ଜଣ ଆଡ଼ମିଶନ ହେଉଛନ୍ତି । ଏବେ ବେଡ଼ରେ 62 ରୋଗୀ ଅଛନ୍ତି । ସେସବୁକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ସ୍ଵତନ୍ତ୍ର ବେଡ୍ ନଥିବାରୁ ଫୋଲ୍ଡିଂ ଖଟ କିଣାଯାଇ ତଥା ବନ୍ଦ ଥିବା କ୍ୟାଥୋଲ୍ୟାବ ରୁମକୁ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ଲାଗି ବ୍ୟବହାର କରାଯାଉଛି । ଏହି ସିଏଚସି ଗୁଡ଼ିକରେ 10 ଟି ଲେଖାଏଁ ବେଡ୍ ଡେଙ୍ଗୁ ରୋଗୀଙ୍କ ପାଇଁ ରହିବ ।
ଗତ କିଛିଦିନ ତଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ କ୍ୟାପିଟାଲ ହସ୍ପିଟାଲରେ ବଢିଥିଲା ବେଡ୍ ସଂଖ୍ୟା । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ସ୍ଵତନ୍ତ୍ର ବେଡ୍ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛି କ୍ୟାପିଟାଲ ହସ୍ପିଟାଲ । ପୂର୍ବରୁ ଏଠାରେ ଡେଙ୍ଗୁ ରୋଗୀଙ୍କ ଲାଗି 50 ଟି ସ୍ଵତନ୍ତ୍ର ବେଡ୍ ଥିବା ବେଳେ ଖୁବଶୀଘ୍ର 20 ବେଡ୍ ବଢ଼ାଇ 70 ରେ ପହଞ୍ଚାଇବାକୁ ଯୋଜନା କରାଯାଇଥିଲା ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ରାଜଧାନୀରେ ଡେଙ୍ଗୁ ରୋଗଙ୍କ ସଂଖ୍ୟା ବଢୁଥିବାରୁ ସମସ୍ତେ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବ୍ଲଡ୍ ବ୍ୟାଙ୍କରେ ରକ୍ତ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡେଙ୍ଗୁ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ସ୍ଵତନ୍ତ୍ର ବ୍ୟବସ୍ଥା କରିବ ।
ଡେଙ୍ଗୁ ମୃତ୍ୟୁ ହାର ଶୂନ ରହିଛି ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ସବୁ ଜିଲ୍ଲାରେ ବିଶେଷଜ୍ଞ କମିଟି ରହିଛି । ବିଶେଷଜ୍ଞ କମିଟି ଯାଞ୍ଚ କରି ତଥ୍ୟ ଦେବା ପରେ ଡେଙ୍ଗୁ ମୃତ୍ୟୁ ଜଣାଯାଏ। ଏବେ ସୁଦ୍ଧା ଡେଙ୍ଗୁ ମୃତ୍ୟୁ ତଥ୍ୟ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ଚଳିତ ବର୍ଷ କେବଳ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରୁ 1059 ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ୟୁନିଟ-9 ଓ ସହିଦ ନଗର ଅଞ୍ଚଳ ଡେଙ୍ଗୁ ହଟସ୍ପଟ ପାଲଟିଛି । ନୟାପଲ୍ଲୀ ଅଞ୍ଚଳରୁ ସର୍ବାଧିକ 105 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହାପଛକୁ ଆଚାର୍ଯ୍ୟ ବିହାରରୁ 99, ଜୟଦେବ ବିହାରରୁ 64, ୟୁନିଟ -9ରୁ 56 ଓ ସହିଦ ନଗର ଅଞ୍ଚଳରୁ 53 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି ।





