କାହିଁକି ଯୋଗୀଙ୍କ ପାଦ ଛୁଇଁଲେ ରଜନୀକାନ୍ତ ?; ବିବାଦ ପରେ ରଖିଲେ ସ୍ପଷ୍ଟୀକରଣ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସୁପରଷ୍ଟାର ରଜନୀକାନ୍ତ ସବୁବେଳେ ତାଙ୍କ ସୁପରହିଟ୍ ଫିଲ୍ମକୁ ନେଇ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ଏବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁବାକୁ ନେଇ ସୋସିଆଲ୍ ମିଡିଆରେ ରଜନୀକାନ୍ତ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି । କାହିଁକି ୭୨ ବର୍ଷୀୟ ରଜନୀକାନ୍ତ ୫୧ ବର୍ଷୀୟ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁଲେ ? ଏହାକୁ ନେଇ ବିବାଦ ଦେଖାଦେବାପରେ ନିଜେ ରଜନୀକାନ୍ତ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ।

ନିକଟରେ ସୁପରଷ୍ଟାର ରଜନୀକାନ୍ତ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ । ସେହି ସମୟରେ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁଥିଲେ ରଜନୀକାନ୍ତ । ଯାହାକୁ ନେଇ ବିବାଦ ପରେ ରଜନୀକାନ୍ତ କହିଛନ୍ତି ଯେ, କୌଣସି ସନ୍ୟାସୀ କିମ୍ବା ଯୋଗୀଙ୍କ ପାଦ ଛୁଇଁବା ତାଙ୍କ ଅଭ୍ୟାସ । ସେ ବ୍ୟକ୍ତି କୌଣସି ବୟସର ହୁଅନ୍ତୁ ନା କାହିଁକି, ସେ ଯେତେବେଳେ ବି କୌଣସି ଯୋଗୀଙ୍କୁ ଭେଟିଥାନ୍ତି ସେତେବେଳେ ସେ ତାଙ୍କର ପାଦ ଛୁଇଁଥାନ୍ତି ବୋଲି କହିଛନ୍ତି ରଜନୀକାନ୍ତ ।

ତେବେ କିଛି ଦିନ ତଳେ ରଜନୀକାନ୍ତଙ୍କ ଫିଲ୍ମ ଜେଲର୍ ମୁକ୍ତିଲାଭ କରିଥିଲା । ଦୀର୍ଘ ୨ ବର୍ଷ ପରେ ବଡ଼ ପରଦାକୁ ଫେରିବା ଓ ଫିଲ୍ମ ହିଟ୍ ହେବା ପରେ ରଜନୀକାନ୍ତ ଚାରିଧାମ ଯାତ୍ରାରେ ବାହାରି ଥିଲେ । ଏହି ଅବସରରେ ବଦ୍ରିନାଥଙ୍କ ଦର୍ଶନ ପରେ ରଜନୀକାନ୍ତ ସିଧା ଲକ୍ଷ୍ନୌରେ ପହଞ୍ଚିଥିଲେ । ପ୍ରଥମେ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଭେଟିବା ପରେ ଫିଲ୍ମର ସ୍ପେଶାଲ୍ ସ୍କ୍ରିନିଂ କରିଥିଲେ । ଏହାପରେ ରଜନୀକାନ୍ତ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ଓ ତାଙ୍କ ପାଦ ଛୁଇଁଥିଲେ | ଏହି ସମୟର ଫଟୋ ସାମ୍ନାକୁ ଆସିବା ପରେ ବିଶେଷ କରି ତାମିଲନାଡ଼ୁରେ ବିବାଦ ଦେଖା ଦେଇଥିଲା। ବିବାଦ ପରେ ନିଜେ ରଜନୀକାନ୍ତ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି |

Related Posts