ମାଛ ଖାଇଲେ ଐଶ୍ବର୍ଯ୍ୟା ରାୟଙ୍କ ଭଳି ଚମକିବ ଆଖି: ବିଜେପି ମନ୍ତ୍ରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ବିଜେପି ନେତା ବିଜୟ କୁମାର ଗାଭିତଙ୍କ ଏକ ବୟାନ ଏବେ ଖୁବ୍ ବିବାଦରେ ରହିଛି । ମନ୍ତ୍ରୀ ବଲିଉଡ୍ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ଆଖି ଉପରେ ବୟାନ ଦେଇ ବିବାଦକୁ ଆସିଛନ୍ତି । ମହାରାଷ୍ଟ୍ରର ନନ୍ଦୁବାର ଜିଲ୍ଲାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗାଭିତ କହିଛନ୍ତି ଯେ, “ଯେଉଁମାନେ ପ୍ରତିଦିନ ମାଛ ଖାଆନ୍ତି, ସେମାନଙ୍କ ଆଖି ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ଭଳି ସୁନ୍ଦର ହୋଇଥାଏ । ନିୟମିତ ମାଛ ଖାଇଲେ ଚର୍ମ ଭଲ ରହିଥାଏ ଓ ଆଖି ଚମକି ଥାଏ । ଫଳରେ କେହି ଆପଣଙ୍କୁ ଦେଖିଲେ ଆପଣଙ୍କ ଆଡକୁ ଆକର୍ଷିତ ହୋଇଯାଇଥାଏ ବୋଲି ସେ କହିଛନ୍ତି।

ଉପସ୍ଥିତ ଜନତାଙ୍କୁ ଗାଭିତ ପ୍ରଶ୍ନ କରି କହିଛନ୍ତି ଯେ, “ଆପଣମାନେ ଐଶ୍ବର୍ଯ୍ୟା ରାୟଙ୍କ ଆଖି ଦେଖିଛନ୍ତି କି ? ଐଶ୍ବର୍ଯ୍ୟା ମାଙ୍ଗାଲୁରୁରେ ସମୁଦ୍ର କୂଳରେ ରହନ୍ତି । ସେ ପ୍ରତିଦିନ ମାଛ ଖାଆନ୍ତି । ସେଥିପାଇଁ ତାଙ୍କ ଆଖି ଏତେ ସୁନ୍ଦର ଓ ଚମକଦାର ଅଟେ । ଆପଣ ମଧ୍ୟ ମାଛ ଖାଇଲେ ଅଭିନେତ୍ରୀଙ୍କ ଭଳି ଆକର୍ଷଣୀୟ ଆଖି ପାଇବେ । ମାଛରେ ତୈଳ ରହିଥାଏ । ଏହା ଚର୍ମକୁ କୋମଳ କରିଥାଏ । ତେବେ ମନ୍ତ୍ରୀଙ୍କ ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୃଷ୍ଟି ହୋଇଛି ବିବାଦ ।

ଏନେଇ ଏନସିପି ବିଧାୟକ ଅମୋଲ ମିଟକାରି କହିଛନ୍ତି, “ମନ୍ତ୍ରୀ ଏହିଭଳି ମୂଲ୍ୟହୀନ ଟିପ୍ପଣୀ ଦେବା ବଦଳରେ ଆଦିବାସୀଙ୍କ ସମସ୍ୟା ପ୍ରତି ଗୁରୁତ୍ବ ଦେବା ଉଚିତ୍ ।”

ସେପଟେ ମହାରାଷ୍ଟ୍ର ମହିଳା କମିଶନ ମୁଖ୍ୟ ରୂପାଲି ଚାକଣକର ମଧ୍ୟ ମନ୍ତ୍ରୀଙ୍କ ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରଛନ୍ତି । ଏଭଳି ମନ୍ତବ୍ୟ ମହିଳାଙ୍କ ପ୍ରତି ଅପମାନ । ଜନ ପ୍ରତିନିଧି ନିଜ ବୟାନ ପ୍ରତି ସାବଧାନ ରହିବା ଉଚିତ୍, କାରଣ ଏହାର ପ୍ରଭାବ ସମାଜରେ ଦୀର୍ଘ ସମୟ ଧରି ରହିଥାଏ ବୋଲି ସେ କହିଛନ୍ତି । ଏହାସହିତ ଆସନ୍ତା ୩ ଦିନ ମଧ୍ୟରେ ନିଜର ବୟାନ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ସେ ମନ୍ତ୍ରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

Related Posts