ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଆସିଲେ ୫୦୦ ଟଙ୍କାରେ ଏଲପିଜି, ମହିଳାଙ୍କୁ ମାସିକ ୧୫୦୦ ଟଙ୍କା: ଗ୍ୟାରେଣ୍ଟି ଦେଲେ ଖଡ଼ଗେ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେ ମହୋଲ୍ ସରଗରମ । ଚଳିତବର୍ଷ ଶେଷ ଆଡ଼କୁ ମଧ୍ୟପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ରାଜ୍ୟବାସୀଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେବା ଆରମ୍ଭ କରିଛନ୍ତି । ଆପ୍‌ ପରେ ଏବଂ କଂଗ୍ରେସ ମଧ୍ୟପ୍ରଦେଶର ଲୋକମାନଙ୍କୁ ନିର୍ବାଚନୀ ଅଫର ଘୋଷଣା କରିଛି ।ମାଗଣା ବିଜୁଳି ହେଉ କି ଚାଷୀଙ୍କ ଋଣ ଛାଡ଼ ଭଳି ପ୍ରତିଶ୍ରୁତି ଦେଇଛି କଂଗ୍ରେସ । କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଆଜି ନିର୍ବାଚନ ପ୍ରଚାର ସମୟରେ ଅନେକ ପ୍ରତିଶ୍ରୁତି ଦେଇଛନ୍ତି ।

ଏମପିରେ କଂଗ୍ରେସ ସରକାର ଆସିବା ମାତ୍ରେ କୃଷକଙ୍କ ଋଣ ଛାଡ଼ କରାଯିବ ବୋଲି କହିଛନ୍ତି ଖଡ଼ଗେ । ସେ ଆହୁରି କହିଛନ୍ତି, କମଳନାଥ ମୁଖ୍ୟମନ୍ତ୍ରୀ ହେଉ ହେଉ ରାଜ୍ୟରେ ଏଲପିଜି ସିଲିଣ୍ଡର ଦାମ ୫୦୦ ଟଙ୍କା ହୋଇଯବ । ରାଜ୍ୟର ମହିଳାମାନଙ୍କୁ ମାସିକ ୧୫୦୦ ଟଙ୍କା ଦେବେ ବୋଲି ମଧ୍ୟ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଏହା ସହ ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଛାଡ଼ କରାଯିବ । ସରକାରୀ କର୍ମଚାରୀଙ୍କ ଲାଗି ପୁରୁଣା ପେନସନ ଯୋଜନା ଲାଗୁ ହେବ । ଏପରିକି ରାଜ୍ୟରେ ଜାତି ଆଧାରରେ ଜନଗଣାନା କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ କଂଗ୍ରେସ ୬ ଜଣ ପଛୁଆ ବର୍ଗର ଯୁବକଙ୍କୁ ଓ୍ବାର୍କିଂ କମିଟିରେ ସାମିଲ କରିଛି ବୋଲି କହିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ ।

ନିର୍ବାଚନୀ ପ୍ରଚାର ସମୟରେ ଆଜି ବିଜେପି ଉପରେ ଖୁବ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ । ମଧ୍ୟପ୍ରଦେଶରେ ଏହି ସରକାର ବେଆଇନ ବୋଲି ସେ ଅଭିଯୋଗ କରିଛନ୍ତି । ଆମ ବିଧାୟକଙ୍କୁ ଚୋରି କରିଛନ୍ତି ସେମାନେ (ବିଜେପି) । କିନ୍ତୁ ସେମାନେ ନିଜ ସିଦ୍ଧାନ୍ତରେ କାମ କରୁଥିବା ନେଇ ମିଛ ଦାବି କରୁଛନ୍ତି ବୋଲି ଖଡ଼ଗେ ଅଭିଯୋଗ କରିଛନ୍ତି । ଖଡ଼ଗେ ଆହୁରି କହିଛନ୍ତି ଯେ, ସେମାନେ(ବିଜେପି) ପଚାରୁଛନ୍ତି ଆମେ (କଂଗ୍ରେସ) ୭୦ ବର୍ଷରେ କଣ କରିଛୁ । ଆମେ ସମ୍ବିଧାନକୁ ବଞ୍ଚାଇଛୁ ତେଣୁ ସେ ଆଜି ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ଏହା ସହ କିଛି ଲୋକ ସମ୍ବିଧାନକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ହେଲେ ଦେଶର ୧୪୦ କୋଟି ଜନତା ସମ୍ବିଧାନକୁ ବଞ୍ଚାଇବା ଲାଗି ଜୀବିତ ଅଛନ୍ତି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ।

Related Posts