ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ପିଇଟି ଶିକ୍ଷକ ଗିରଫ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମାହାଙ୍ଗା ନାବାଳିକା ମୃତ୍ୟୁ ଓ ପ୍ରମାଣ ନଷ୍ଟ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଗିରଫ । ଅଭିଯୁକ୍ତ ପିଇଟି ଶିକ୍ଷକ ଅନୁପମ ରାୟଙ୍କୁ ବି ଗିରଫ କରିଛି ପୋଲିସ । ମାହାଙ୍ଗା ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି । ଗିରଫ ନେଇ କଟକ ଗ୍ରାମାଞ୍ଚଳ ଏସ୍‌ପି ମିହିର ପଣ୍ଡା ସୂଚନା ଦେଇଛନ୍ତି ।

ଆତ୍ମହତ୍ୟା ପାଇଁ ପରିସ୍ଥିତି ସୃଷ୍ଟି କରିବା ନେଇ ଅନୁପମଙ୍କୁ ଗିରଫ କରାଯାଇଥିବା କୁହାଯାଉଛି । ଆତ୍ମହତ୍ୟା ପରେ ପ୍ରମାଣ ନଷ୍ଟ ଅଭିଯୋଗରେ ଶରତଙ୍କୁ ଗିରଫ କରାଯାଇଛି । ଶରତଙ୍କ ଅଡିଓ ଭାଇରାଲ ହେବା ପରେ ହଇଚଇ ହୋଇଥିଲା । ପିଇଟି ଶିକ୍ଷକଙ୍କ ମା’ଙ୍କ ସହ କଥାବାର୍ତ୍ତା ବି ଭାଇରାଲ ହୋଇଥିଲା । ଫୋନ୍‌ରେ ୭୦ ହଜାର ଦେବାକୁ ଅନୁପମଙ୍କ ମା’ଙ୍କୁ କହିଥିଲେ ଶରତ । ମାମଲା ରଫାଦଫା ପାଇଁ ପୋଲିସକୁ ଟଙ୍କା ଦେବାକୁ ବି କହିଥିଲେ । ଅଡିଓ ଭାଇରାଲ ପରେ ଶରତଙ୍କୁ ଦଳରୁ ନିଲମ୍ବିତ କରିଥିଲା ବିଜେଡି।

ଆଜିକୁ ଠିକ୍ ଦୁଇ ମାସ ତଳର ସମ୍ବେଦନଶୀଳ ମାମଲାର ସତ କାହିଁକି ସାମ୍ନାକୁ ଆଣୁନି ପୋଲିସ ? ମାମଲା ପଛରେ ବିଜେଡି ଲିଙ୍କ୍ ଅଭିଯୋଗ ଥିବାରୁ ପୋଲିସ ସତ ସାମ୍ନାକୁ ଆଣିବାକୁ ପଛଘୁଞ୍ଚା ଦେଉଛି କି ? ମୃତ ଛାତ୍ରୀଙ୍କ ଏକ ଭାଇରାଲ୍ ଚିଠି ଓ କ୍ରୀଡ଼ା ଶିକ୍ଷକଙ୍କ ମା’ଙ୍କ ସହ ବିଜେଡିରୁ ନିଲମ୍ବିତ ନେତା ଶରତ ନାୟକଙ୍କ ଅଡିଓ ଭାଇରାଲ୍ ପରଠୁ ଉଠୁଥିବା ଏଭଳି ନାନା ପ୍ରଶ୍ନ ଭିତରେ ପ୍ରଥମେ ଶରତ ନାୟକଙ୍କୁ ପଚରାଉଚରା କରିଥିଲା କଟକ ଗ୍ରାମାଞ୍ଚଳ ପୋଲିସ । ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସ ଶରତ ନାୟକଙ୍କଠୁ ତଥ୍ୟ ଆଦାୟ କରିଥିଲା ।

ସୂଚନାଯୋଗ୍ୟ ଯେ, ଗତ ଜୁନ୍‌ ମାସ ୧୮ ତାରିଖରେ ଦଶମ ଶ୍ରେଣୀରେ ପଢୁଥିବା ଶୁଖୁଆପଡା ଗ୍ରାମର ନାବାଳିକାଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ପରିବାର ଲୋକେ କିନ୍ତୁ ଏ ଅସ୍ୱାଭାବିକ ମୃତ୍ୟୁ ସମ୍ପର୍କରେ ପୋଲିସକୁ ଜଣାଇନଥିଲେ । ପୋଲିସକୁ ସୂଚନା ନଦେଇ ମୃତଦେହ ସଂସ୍କାର କରି ଦିଆଯାଇଥିଲା । ନାବାଳିକାଙ୍କ ଅସ୍ୱାଭାବିକ ମୃତ୍ୟୁ ପଛରେ ପ୍ରେମ ସମ୍ପର୍କ ଥିବା କୁହାଯାଇଥିଲା । ସେ ପଢୁଥିବା ସ୍କୁଲର ଖେଳ ଶିକ୍ଷକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା କଥା ତାଙ୍କ ପରିବାର ଲୋକେ ଜାଣିବା ପରେ ଲୋକଲଜ୍ଜା ଯୋଗୁଁ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ ବୋଲି କୁହାଯାଉଥିଲା । ଅନ୍ୟପଟେ ନାବାଳିକା ଜଣଙ୍କ ସେ ପଢୁଥିବା ସ୍କୁଲର ଖେଳ ଶିକ୍ଷକଙ୍କୁ ମୃତ୍ୟୁ ପୂର୍ବରୁ ଏକ ଚିଠି ଲେଖିଥିଲେ । ଅନ୍ୟପଟେ ସମ୍ପୃକ୍ତ ସାରଙ୍କ ମା’ଙ୍କ ସହ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶରତ ନାୟକଙ୍କ ଫୋନ୍‌ କଲ୍‌ର ରେକର୍ଡ ଭାଇରାଲ୍ ହେଉଥିବା ଦାବି କରାଯାଉଥିଲା । ଯେଉଁଥିରେ ମାମଲାକୁ ରଫାଦଫା କରିବାକୁ ଶରତ ନାୟକ ୭୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଜଣାପଡିଥିଲା । ଯାହା ଏହି ନାବାଳିକା ମୃତ୍ୟୁ ମାମଲାକୁ ବିବାଦୀୟ କରି ଦେଇଥିଲା ।

Related Posts