ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପରଲୋକରେ ପ୍ରଖ୍ୟାତ ସାହିତ୍ୟିକ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଡ. ଜୟନ୍ତ ମହାପାତ୍ର। କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତି ୯ଟାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଡ. ମହାପାତ୍ର କିଛି ଦିନ ହେଲା ଅସୁସ୍ଥ ଥିଲେ। ଜ୍ବରରେ ପଡ଼ିବା ସହ ତାଙ୍କ ହୃତ୍ସ୍ପନ୍ଦନରେ ସମସ୍ୟା ଦେଖାଦେଇଥିଲା।
ପ୍ରଥମେ ଘରେ ରହି ସେ ଚିକିତ୍ସିତ ହେଉଥିଲେ। ହୃଦ୍ରୋଗ ବିଶେଷଜ୍ଞ ପ୍ରଫେସର୍ ଡାକ୍ତର ବିଶ୍ୱଜିତ ଦାସଙ୍କ ନେତୃତ୍ବରେ ଏହି ଟିମ୍ ଡ. ମହାପାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ତାଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ରବିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଗଭୀର ଶୋକପ୍ରକାଶ ପାଇଛି। ଡ. ମହାପାତ୍ରଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବହୁ ବିଶିଷ୍ଟ ସାହିତ୍ୟିକ କହିଛନ୍ତି।
ସୂଚନାଯୋଗ୍ୟ, ଡ. ମହାପାତ୍ର ୧୯୨୮ ଅକ୍ଟୋବର ୨୨ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ କଟକସ୍ଥିତ ଷ୍ଟିୱାର୍ଟ ସ୍କୁଲରେ ପାଠ ପଢ଼ିଥିଲେ। ବିହାରର ପାଟଣା ବିଶ୍ବବିଦ୍ୟାଳୟରେ ସେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୪୯ ମସିହାଠାରୁ ରାଜ୍ୟ ସରକାରଙ୍କ ବିଭିନ୍ନ କଲେଜ (ସମ୍ବଲପୁରସ୍ଥିତ ଗଂଗାଧର ମେହେର କଲେଜ, ଭୁବନେଶ୍ବରସ୍ଥିତ ବିଜେବି କଲେଜ, ବାଲେଶ୍ବରସ୍ଥିତ ଫକୀର ମୋହନ କଲେଜ ଓ କଟକସ୍ଥିତ ରେଭେନ୍ସା କଲେଜ)ରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ। ୧୯୮୬ ମସିହାରେ ସେ ବର୍ତ୍ତମାନର ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଅବସର ନେଇଥିଲେ। ୧୯୬୦ ମସିହା ପରେ ସେ ଲେଖକୀୟ ଜୀବନ ଆରମ୍ଭ କରିଥିଲେ। ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟରେ ତାଙ୍କର ଅପରିସୀମ ଦକ୍ଷତା ଥିଲା। ଇଂରାଜୀ କବିତା ପାଇଁ ସେ ପ୍ରଥମ ଭାରତୀୟ କବି ଭାବେ ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ। ୨୦୦୯ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧୀ ପ୍ରଦାନ କରିଥିଲେ।





