୨୦୦୦ ଟଙ୍କିଆ ନୋଟ୍ ବଦଳାଇବାର ଶେଷ ଦିନ ଆଜି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଚାରି ମାସର ସମୟ ଦେଇଥିଲା ତାହା ଆଜି (ଶନିବାର) ଶେଷ ହେଉଛି। ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରିବା ପରେ ବଜାରରେ ଦେଖାଦେଇଥିବା ନଗଦ ରାଶିର ଅଭାବ ପୂରଣ କରିବା ଲାଗି ୨୦୦୦ ଟଙ୍କିଆ ଆସିଥିଲା।ଚଳିତ ବର୍ଷ ମେ’ ୧୯ରେ ସେହି ବଡ଼ ନୋଟ୍‌ ପ୍ରତ୍ୟାହାର କରିବା ବିଷୟରେ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା। ମେ’ ୨୩ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନୋଟ୍‌ଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦେଇଥିଲା ଯାହା ଆଜି ଶେଷ ହେଉଛି।

ଗତ ମେ’ରେ ବଜାରରେ ସାଢ଼େ ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ଥିଲା। ସଦ୍ୟତମ ସୂଚନା ଅନୁସାରେ ସେଥିରୁ ୯୩ ପ୍ରତିଶତ ନୋଟ୍‌ ବ୍ୟାଙ୍କ ପାଖକୁ ଫେରିଆସିଛି। ଏବେବି ପ୍ରାୟ ୨୪ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ଫେରିନାହିଁ। ତେବେ ୨୦୦୦ ଟଙ୍କିଆ ବଦଳାଇବା ଓ ଜମା କରିବାର ସମୟ ସୀମାକୁ ଆଉ ଏକ ମାସ ବଢ଼ାଇବା ବିଷୟରେ ରିଜର୍ଭ ବ୍ୟାଙ୍କ ବିଚାର କରୁଥିବା ଆଲୋଚନା ହେଉଛି। ପ୍ରବାସୀ ଭାରତୀୟଙ୍କୁ ଆଉ କିଛି ଦିନର ସମୟ ଦେବା ଲାଗି ଏହି ସୀମାକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ।

Related Posts