ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୟୂରଭଞ୍ଜ ଖୁଣ୍ଟା ବ୍ଲକ କୁସୁମଘାଟି ଗାଁର ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ଚାକିରିରୁ ନିଲମ୍ବନ କରିବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାରେ | ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ, ନିଜର ଦାବି ନେଇ ପ୍ରତିବାଦ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ଇନଚାର୍ଜ ଭିକେ ପାଣ୍ଡିଆନଙ୍କ ବିରୋଧରେ ମୁହଁ ଖୋଲିଥିଲେ ଭାରତୀ | ଆଉ ଏହାପରେ ବିଭିନ୍ନ ଆଳ ଦେଖାଇ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା |
ଭାରତୀଙ୍କୁ ବହିଷ୍କାର ନୋଟିସରେ ଲେଖାଯାଇଛି ଯେ, ବ୍ୟାଙ୍କମିତ୍ର ଦିଦିଙ୍କ କାର୍ଯ୍ୟକଳାପ ଭଲଲାଗୁନି । ବ୍ୟାଙ୍କମିତ୍ର ଦିତି ଫିଲ୍ଡକୁ ଯାଉ ନାହାନ୍ତି । ଅନୁପସ୍ଥିତ ରହୁଛନ୍ତି । ହେଲେ ବଡ଼ କଥା ହେଉଛି ଇଏ ସେହି ବ୍ୟାଙ୍କମିତ୍ର ଭାରତୀ, ଯାହାକୁ ଭଲ କାମ ପାଇଁ ଦୁଇ ଦୁଇଥର ବ୍ଲକ୍ ଓ ଜିଲ୍ଲା ସ୍ତରରେ ପୁରସ୍କୃତ କରିଛନ୍ତି ସରକାର। ଆଉ ନିଲମ୍ବନ ପରେ ଏହାକୁ ନେଇ ନିଜେ ଭାରତୀ ପ୍ରଶ୍ନ ଉଠାଇଛନ୍ତି |
ସେପଟେ ଭାରତୀଙ୍କୁ ନିଲମ୍ବନ ନେଇ ତାଙ୍କ ସଂଘ ମଧ୍ୟ ଦୁଇ ଫାଳ ହୋଇଛି | କିଛି SHG ମହିଳା ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବେଳେ ଭାରତୀଙ୍କ ସପକ୍ଷରେ ବାହାରିଛନ୍ତି ଅଲ ଓଡିଶା ବ୍ୟାଙ୍କ ମିତ୍ର ଆସୋସିଏସନର ଉପସଭାନେତ୍ରୀ ମମତା ଜେନା | ବାକ ସ୍ୱାଧୀନତାର ଅଧିକାର ସମସ୍ତଙ୍କର ରହିଛି | ଏହାଛଡା ଭାରତୀ ନିଜ ପେଟ ପାଟଣା ପାଇଁ ଏସବୁ କଥା ଗଣମାଧ୍ୟମ ଆଗରେ କହିଛନ୍ତି | ଏହାକୁ ଆଳ କରି ତାଙ୍କୁ ଚାକିରିରୁ ବାହାର କରିବାକୁ ସେ ନାପସନ୍ଦ କରିଛନ୍ତି | ଏହାସହିତ ତାଙ୍କୁ ତାଙ୍କ ପଦ ଫେରାଇ ଦେବାକୁ ସେ ଦାବି କରିଛନ୍ତି |
ସେପଟେ ଭାରତୀ ସିଂ ନିଲମ୍ବିତ ହେବାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆକ୍ଷେପ। କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏ ନେଇ ୫ଟି ସଚିବଙ୍କୁ ତାଛଲ୍ୟ କରିଥିବା ବେଳେ ଗଣତନ୍ତ୍ର ଦେଶରେ ନିଜର ହକ ପାଇଁ ସମସ୍ତେ ମୁହଁ ଖୋଲିପାରିବ ଏଭଳି ସ୍ଥିତିରେ ରାଜ୍ୟ ସରକାର ଲୋକଙ୍କୁ ଦମନ କରନ୍ତି ତେବେ କୌରବ ବଂଶ ପରି ଲୋପ ପାଇଯିବ ବୋଲି କହିଛନ୍ତି। ଏହାର ଜବାବରେ ବିଜେଡି ବିଧାୟକ ରାଜ କିଶୋର ଦାସ କହିଛନ୍ତି ଯେ, ଭାରତୀ ସିଂ ନିଜର ସୀମାରେଖା ପାର କରି ମନ୍ତବ୍ୟ ଦେଇଛନ୍ତି। ଯେଉଁମାନେ ତାଙ୍କୁ ନିଲମ୍ବନ କରିଛନ୍ତି ସେଇମାନେ ତାଙ୍କ କଥା ବିଚାର କରିବେ। ତେବେ କେନ୍ଦ୍ରମନ୍ତ୍ରୀ ମଧ୍ୟ ନିଜର ବାକ ସଂଯମତା ରକ୍ଷା କରନ୍ତୁ ବୋଲି ରାଜକିଶୋର କହିଛନ୍ତି |
ଅନ୍ୟପଟେ ଭାରତୀଙ୍କୁ ନିଲମ୍ବନ ପରେ ତାଙ୍କ ସମର୍ଥନରେ ବାହାରିଛନ୍ତି ବିଭିନ୍ନ ଆଦିବାସୀ ସଂଗଠନ | କିଛି ମୃଷ୍ଟିମୟ ସ୍ୱୟଂ ସହାୟିକା ଗୋଷ୍ଠୀ ର ନେତ୍ରୀ ୫ଟି ସଚିବଙ୍କ ପାଖରେ ଭଲେଇ ଦେଖେଇ ହେବା ପାଇଁ ମିଛ ରିପୋର୍ଟ କରି ଭାରତୀଙ୍କ ଭଵିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା କହିଛନ୍ତି ଆଦିବାସୀ ଦଳିତ ମହାସଂଘ ସଭାପତି। ଏପଟେ ଭୂମିଜ ସମ୍ପ୍ରଦାୟର ଝିଅ ଭାରତୀ ସିଂ କୁ ନ୍ୟାୟ ନ ମିଳିଲେ ରାଜ ରାସ୍ତା ରେ ନିଆଁ ଜଳିବ ବୋଲି ମୁଣ୍ଡା ସମ୍ପ୍ରଦାୟ ପକ୍ଷରୁ କୁହାଯାଇଛି।
ଗୋଟିଏ ପଟେ ଦିନକୁ ଦିନ ଭାରତୀଙ୍କୁ ବିଭିନ୍ନ ଆଡୁ ସମର୍ଥନ ମିଳୁଥିବା ବେଳେ ଆଗକୁ ସେ ନିଜ ଚାକିରୀ ଫେରି ପାଉଛନ୍ତି ନା ନାହିଁ ତାହାରି ଉପରେ ନଜର |





