ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ନିଲମ୍ବନ ପ୍ରସଙ୍ଗ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମୀର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିବା ଭାରତୀ ସିଂଙ୍କୁ ନିଲମ୍ବନ କରାଯିବା ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜ ଜିଲ୍ଲାର ଝିଅ ଭାରତର ରାଷ୍ଟ୍ରପତି ହୋଇଛନ୍ତି । ସେହି ଜିଲ୍ଲାର ଝିଅର ଦୁଃଖ ନଶୁଣି ଚାକିରିରୁ ନିଲମ୍ବନ କରିବା ଚିନ୍ତାଜନକ । ଏହା ମହିଳା ସଶକ୍ତିକରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା କଣ ମା’ମାନଙ୍କୁ ସମ୍ମାନ ବୋଲି ସମୀର ପ୍ରଶ୍ନ କରିଛନ୍ତି ।

ବ୍ୟାଙ୍କମିତ୍ର ଭାରତୀ ସିଂଙ୍କ ନିଲମ୍ବନକୁ ନେଇ ଏବେ ରାଜନୀତି ଜୋର ଧରିଛି । କାହିଁକି ହଠାତ ଭାରତୀଙ୍କୁ ଚାକିରିରୁ କଢାଗଲା ? ଏନେଇ ମୟୂରଭଞ୍ଜ ଜିଲ୍ଲାରେ ବିଜେପି ନେତା ଏବଂ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ କଥା କହୁଛନ୍ତି । କିନ୍ତୁ ଜଣେ ଗରିବ ମା’ର ଗୁହାରି ନଶୁଣି ତାଙ୍କୁ ଚାକିରିରୁ ନିଲମ୍ବିତ କରିବା ଏହା ଶୋଭନୀୟ ଘଟଣା ନୁହେଁ । ଏହି ବିଷୟ ମହିଳା ସଶକ୍ତିକରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସମୀର କହିଛନ୍ତି ।

ଏନେଇ ସମୀର କହିଛନ୍ତି,”ଏଭଳି ଘଟଣାରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି ନା ନାହିଁ ମୁଁ ଜାଣିନାହିଁ କିନ୍ତୁ ଆପଣ ଭାରତୀ ସିଂଙ୍କୁ ପୁଣି ଥରେ ଚାକିରିରେ ଅବସ୍ଥାପିତ କରାଇ ତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଆଶା ଅଛି ।” ଭାରତୀ ସିଂ ମିଶନ ଶକ୍ତି ଅଧୀନରେ ବ୍ୟାଙ୍କ ମିତ୍ର ଭାବରେ କାର୍ଯ୍ୟ କରି ନିଜର ପରିବାର ଭରଣପୋଷଣ କରୁଥିଲେ । ପଞ୍ଚାୟତରେ ଦୀର୍ଘ ବର୍ଷ ଧରି କାମ କରୁଥିଲେ । ନିଜର କାମରେ ଭଲ ପ୍ରଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ମିଶନ ଶକ୍ତି ଦ୍ବାରା ତାଙ୍କୁ ପୁରସ୍କୃତ ମଧ୍ୟ କରିଛନ୍ତି ।

ବ୍ୟାଙ୍କ ମିତ୍ର ଚାକିରି ପାଇଁ ତାଙ୍କୁ ମାସିକ ୬୦୦୦ ଟଙ୍କା ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ ଦ୍ବାରା ଆର୍ଥିକ ଅନୁଦାନ ମିଳିଥାଏ । ଏତିକି ଅର୍ଥରେ ପରିବାର ଗୁଜୁରାଣ ମେଣ୍ଟୁ ନଥିବାରୁ ସେ ତାଙ୍କ ଅସୁବିଧା ବିଷୟରେ ନିଜ ଅଧିକାରୀଙ୍କୁ ଜଣାଇବା ସହ ଅତିରିକ୍ତ ଆର୍ଥିକ ରାଶି ଦେବା ପାଇଁ ଦାବି କରିଥିଲେ । ଭୁବନେଶ୍ବର ଆସି ଲୋୟର ପିଏମଜିରେ ଧାରଣା ଦେଇ ନିଜ ଦାବି ଉପସ୍ଥାପନ କରିଥିଲେ । ୫ଟି ସଚିବ ରାଜ୍ୟର ସମସ୍ତ ଜିଲ୍ଲା ବୁଲି ଯେଉଁ ଅଭିଯୋଗ ଗ୍ରହଣ କରିଥିଲେ ସେଥିରେ ବ୍ୟାଙ୍କ ମିତ୍ରମାନେ ମଧ୍ୟ ତାଙ୍କୁ ଅଭିଯୋଗ ଦେଇଥିଲେ । କିନ୍ତୁ ଅଭିଯୋଗର ସମାଧାନ ପାଇଁ କୌଣସି ତତ୍ପରତା ପ୍ରକାଶ କରାଯାଇନଥିବା ସେ ଗଣମାଧ୍ୟମ ସମ୍ମୁଖରେ କହିଥିଲେ । ଏହା ତାଙ୍କର କଣ ଭୁଲ୍ ଥିଲା ବିଜେପି ପ୍ରଶ୍ନ କରିଛି ।

Related Posts