ଭୁବନେଶ୍ୱରରେ ଦମ୍ ଦେଖାଇଲା ‘ମୋ ଦଳ’; ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଲା ଏତଲା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରେ ଦମ୍ ଦେଖାଇଲା ମୋ ଦଳ | ଆଜି ଏକ ବିରାଟ ରାଲିରେ ଦଳର ଶହ ଶହ କର୍ମୀ ଆସି କ୍ୟାପିଟାଲ ପୋଲିସ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା ଦେଇଛନ୍ତି | ଦଳ ପକ୍ଷରୁ କୁହାଯାଇଛି ଯେ, ପୁରୀ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ବେଆଇନ ଜମି ଅଧିଗ୍ରହଣରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି | ଏଥିପାଇଁ ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ କଡା ଭତ୍ସନା କରିଛନ୍ତି | ଘରୋଇ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ରଖୁଥିବା ଓ ଏତେ ବଡ ଦୁର୍ନୀତିରେ ସମ୍ପୃକ୍ତ ଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ମୋ ଦଳ ଦାବି କରିଛି |

ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କରିବାକୁ ଦଳ ପକ୍ଷରୁ ଏତଲା ଦିଆଯାଇଛି | ତେବେ ଆଗକୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେନେଲେ ଏନେଇ ମୋ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କୁହାଯାଇଛି | ଏପରିକି ଏହି ବେଦାନ୍ତ ବିଶ୍ୱବିଦ୍ୟାଳୟ ବେଆଇନ ଜମି ଅଧିଗ୍ରହଣ ମାମଲାରେ ଆଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲାଲୁ ଯାଦବ ଓ ଜୟଲଳିତାଙ୍କ ଭଳି ଜେଲ ଯିବେ ବୋଲି ମୋ ଦଳର ବରିଷ୍ଠ ନେତା ଅକ୍ଷୟ କୁମାର କହିଛନ୍ତି |

ସେପଟେ ମୋ ଦଳର ଦାବି କୁ ସମର୍ଥନ କରିଛି କଂଗ୍ରେସ | ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ସୁପ୍ରିମକୋର୍ଟ ଙ୍କ ରାୟ ଅନୁସାରେ ଏହି ମାମଲାରେ ସମ୍ପୃକ୍ତ ଥିବା ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଇ ବ୍ୟୁରୋକ୍ରାଟଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ | ଏହାସହିତ ତୁରନ୍ତ ସରକାର ଚାଷୀମାନଙ୍କ ଜମି ଫେରାଇ ଦିଅନ୍ତୁ ବୋଲି ସେ କହିଛନ୍ତି |

Related Posts