ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ନିଯୁକ୍ତ କରାଯାଇଛି। ରଘୁବରଙ୍କ ନିଯୁକ୍ତି ନେଇ ବୁଧବାର ରାତିରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କଠାରୁ ରଘୁବର ନୂଆ ଦାୟିତ୍ବ ଗ୍ରହଣ କରିବେ।

ସୂଚନାଯୋଗ୍ୟ, ଗତ ମେ ମାସ ୩୦ ତାରିଖରୁ ଗଣେଶୀ ଲାଲ୍‌ଙ୍କ କାର୍ଯ୍ୟକାଳ ଶେଷ ହୋଇଛି ଏବଂ ସେ କାର୍ଯ୍ୟକାରୀ ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଉଥିଲେ।ଏହା ସହିତ ତେଲେଙ୍ଗାନା ବିଜେପି ନେତା ଇନ୍ଦ୍ରସେନା ରେଡ୍ଡି ନଲ୍ଲୁଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ଆଜି ନିଯୁକ୍ତି ଦିଆଯାଇଛି।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଜନ୍ମ ୩ ମେ, ୧୯୫୫ରେ ଛତିଶଗଡ଼ରେ ହୋଇଥିଲା। ୧୯୭୭ରେ ସେ ଜନତା ପାର୍ଟିର ସଦସ୍ୟ ହୋଇଥିଲେ ଏବଂ ୧୯୮୦ରେ ସକ୍ରିୟ ରାଜନୀତିକୁ ଆସି ବିଜେପିରେ ସାମିଲ ହୋଇଥିଲେ। ୧୯୯୫ରେ ସେ ପ୍ରଥମ ଥର ପାଇଁ ଜାମସେଦପୁର ପୂର୍ବ ଆସନରୁ ବିଧାୟକ ନର୍ବାଚିତ ହୋଇଥିଲେ। ଏହାପରେ ୫ ଥର ଲଗାତାର ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ୨୦୦୯ରେ ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଦାୟିତ୍ବ ନିର୍ବାହ କରିଥିବା ବେଳେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଏହା ପୂର୍ବରୁ ସେ ଝାଡ଼ଖଣ୍ଡ ବିଜେପିର ଦୁଇ ଥର ରାଜ୍ୟ ସଭାପତି ନିଯୁକ୍ତ ହୋଇଥିଲେ। ସଂପ୍ରତି ବିଜେପିର ଜାତୀୟ ଉପସଭାପତି ପଦରେ ରହିଥିବା ରଘୁବର ଏବେ ରାଜ୍ୟପାଳ ଭାବେ ତାଙ୍କର ନୂଆ ଇନିଂସ ଆରମ୍ଭ କରିବେ। ରଘୁବରଙ୍କ ଆଦ୍ୟ ଜୀବନ ଅଭାବ ଅନଟନ ଭିତରେ କଟିଥିଲା ଏବଂ ସେ ଜାମସେଦପୁର ଟାଟା ଷ୍ଟିଲ୍‌ ରୋଲିଂ ମିଲ୍‌ରେ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ପ୍ରାଥମିକ ଶିକ୍ଷା ଭାଲୁବାସା ହରିଜନ ବିଦ୍ୟାଳୟରେ ହୋଇଥିଲା ଏବଂ ଜାମସେଦବୁର ସମବାୟ କଲେଜରୁ ସେ ବିଏସ୍‌ସି ଏବଂ ଲ’ ଡିଗ୍ରି ହାସଲ କରିଥିଲେ।

Related Posts