ଲକ୍ଷ୍ମୀ ବିବାଦ: ଘରୋଇ ବସ୍ ମାଲିକ ସଂଘର ଦାବିକୁ ନେଇ ବାହାରୁନି ନିଷ୍କର୍ସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ଲକ୍ଷ୍ମୀ ବସ୍’ ଯୋଜନା, ହେଲେ ଯୋଜନା ଆରମ୍ଭରୁ ଏହାକୁ ନେଇ ବିବାଦ ଥମୁନି | ଏହି ଯୋଜନାରେ ଘରୋଇ ବସ୍ ଗୁଡିକୁ ସାମିଲ କରିବାକୁ ଆରମ୍ଭରୁ ଦାବି କରି ଆସୁଛି ଘରୋଇ ବସ୍ ମାଲିକ ସଂଘ | ହେଲେ ସରକାର ସଂଘର ଦାବିକୁ ଅଣଦେଖା କରିଥିବାରୁ ଗତ 20 ତାରିଖରେ ସାରା ରାଜ୍ୟରେ ବସ୍ ଧର୍ମଘଟ କରିଥିଲା ଘରୋଇ ବସ୍ ମାଲିକ ସଂଘ | ପରେ ସରକାରଙ୍କ ସହ ଆଲୋଚନା ପରେ, 31 ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିଥିଲା ସଂଘ | ଆଉ ଆଜି ସରକାରଙ୍କ ସହ ସଂଘର ବୈଠକ ବସିଥିବା ବେଳେ ବୈଠକ ପରେ ଉଭୟ ପରିବହନ ମନ୍ତ୍ରୀ ଓ ବସ୍ ମାଲିକ ସଂଘ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି |

ପରିବହନ ମନ୍ତ୍ରୀ ଟୁକୁନି ସାହୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏକ ମହତ ଉଦେଶ୍ୟ ରଖି ଏହି ଯୋଜନା ଆରମ୍ଭ କରାଯାଇଛି | ଘର ବସ୍ ମାଲିକ ସଂଘର ସମସ୍ତ ଦାବି ସମ୍ପର୍କରେ ସରକାର ଅବଗତ ଅଛନ୍ତି | ଆଉ ଆନ୍ଦୋଳନ ହେବନି, ଆଲୋଚନା ମାଧ୍ୟମରେ ସବୁ କିଛି ସମାଧାନ ହେବ ବୋଲି ମନ୍ତ୍ରୀ କହିଛନ୍ତି | ସେପଟେ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ମନ୍ତ୍ରୀଙ୍କ ସହ ଆଲୋଚନା ସଫଳ କି ବିଫଳ ହୋଇନି | ଆନ୍ଦୋଳନ ସ୍ଥଗିତ ରହିଛି ପ୍ରତ୍ୟାହୃତ ହୋଇନି | ଆସନ୍ତା 30 ତାରିଖରେ ସଂଘର GENERAL BODY ମିଟିଂ ପରେ ଆନ୍ଦୋଳନ ନେଇ ନିଷ୍ପତ୍ତି ନିଆଯିବ |

ସେପଟେ ଏହି ବିବାଦ ମଧ୍ୟରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ | ରାଜ୍ୟ ସରକାର କୌଣସି ଘରୋଇ କମ୍ପାନୀର ସ୍ୱାର୍ଥ ପାଇଁ ପ୍ରାଇଭେଟ ବସ୍ ମାଲିକଙ୍କ ସ୍ୱାର୍ଥକୁ ଅଣଦେଖା ନକରନ୍ତୁ ବୋଲି ବିଜେପି କହିଛି |

ତେବେ ଆଜି ଦୀର୍ଘଦିନ ସମୟ ଧରି ମନ୍ତ୍ରୀ ଓ ବସ୍ ମାଲିକ ସଂଘର ବୈଠକ ବସିଥିବା ବେଳେ, ଆଲୋଚନା ପରେ ଉଭୟ ମନ୍ତ୍ରୀ ଓ ସଙ୍ଘର ଭିନ୍ନ ଭିନ୍ନ ମନ୍ତବ୍ୟ କୌଣସି ସ୍ପଷ୍ଟ ନିଷ୍କର୍ସ ବାହାରି ନଥିବା ସ୍ପଷ୍ଟ କରୁଛି | ଏଭଳି ସ୍ଥିତିରେ ପୁଣି ବସ୍ ଧର୍ମଘଟ ହେବାନେଇ ସନ୍ଦିହାନରେ ରହିଛି ସାରା ରାଜ୍ୟ |

Related Posts