ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜୁ ଜନତା ଦଳରେ ହୋଇପାରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ | ଆସନ୍ତା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଦଳର ସବୁଠାରୁ ବଡ଼ ପ୍ରୋଜେକ୍ଟକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ | ନିଜର ଉତ୍ତରାଧିକାରୀକୁ ଖୁବଶୀଘ୍ର ବିଜେଡିରେ ଅବସ୍ଥାପିତ କରାଇବେ, ଯାହା ନବୀନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି | ତେବେ ନବୀନଙ୍କ ଷ୍ଟ୍ରାଟେଜି ଅନୁସାରେ ତାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ଦଳର ସଭାପତି ଭାବେ ଦାୟିତ୍ୱ ଦିଆଯିବ | ଦଳର ସଭାପତି ପଦରୁ ହଟି ନବୀନ ବିଜେଡିର ମାର୍ଗଦର୍ଶକ ଭାବେ ରହିବେ |
ତେବେ ପାଣ୍ଡିଆନଙ୍କ ବିଜେଡିରେ ମିଶିବା ନେଇ ଏବେ ଯାହା ସବୁ ଚର୍ଚ୍ଚା ପ୍ରକାଶ ପାଉଛି ବାସ୍ତବରେ ତାହା ଅର୍ଦ୍ଧ ସତ୍ୟ | ଅନେକ କହୁଛନ୍ତି ପାଣ୍ଡିଆନ ବିଜେଡିର କାର୍ଯ୍ୟକାରୀ ସଭାପତି କିମ୍ବା ଉପସଭାପତି ହେବେ | ମାତ୍ର ନବୀନଙ୍କ ଷ୍ଟ୍ରାଟେଜି ଅନୁସାରେ, ପାଣ୍ଡିଆନ ବିଜେଡିରେ ମିଶିବା ପରେ ତାଙ୍କୁ ଦଳର ଦୁଇ ନମ୍ବର ନେତା ଭାବେ ରଖାଯିବ ନାହିଁ | ଏହା ପୂର୍ବରୁ ପ୍ରଣବ ପ୍ରକାଶ ଦାସ ଅନେକ ଦିନ ହେବ ବିଜେଡିର ଦୁଇ ନମ୍ବର ପଦବୀ ନେଇ ଦଳର ସାଙ୍ଗଠନିକ ବ୍ୟବସ୍ଥା ମଧ୍ୟରେ ରହିଥିଲେ | ତେଣୁ ପାଣ୍ଡିଆନଙ୍କୁ ବର୍ତ୍ତମାନ ଦୁଇ ନମ୍ବର କରିବା ଅର୍ଥ ପୁଣି ଥରେ ଏକ ନମ୍ବର କରିବା ସମୟରେ ଦଳରେ ଟଣାଓଟରା ହୋଇପାରେ | ତେଣୁ ଏସବୁର ଅବସାନ କରିବା ପାଇଁ ନବୀନଙ୍କ ଷ୍ଟ୍ରାଟେଜି ହେଲା, ବିଜୁ ଜନତା ଦଳର ସମସ୍ତ ଦାୟିତ୍ୱ ଓ ସର୍ବୋଚ୍ଚ ନେତା ଭାବେ ପାଣ୍ଡିଆନଙ୍କୁ ଛାଡ଼ିବେ ଓ ନିଜେ ମାର୍ଗଦର୍ଶକ ଭାବେ ରହିବେ |





