ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚଳିତ ଏକଦିବସୀୟ ପୁରୁଷ କ୍ରିକେଟ୍ ବିଶ୍ବକପ୍‌ର ସେମିଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି। ଲିଗ୍ ପର୍ଯ୍ୟାୟ ଶେଷ ହେବାକୁ ଆଉ ଗୋଟିଏ ଦିନ ବାକି ଥିଲେ ମଧ୍ୟ ପ୍ରଥମ ସେମିଫାଇନାଲ୍‌ରେ ପଏଣ୍ଟ୍‌ ତାଲିକାର ଏକନମ୍ବର ସ୍ଥାନରେ ଥିବା ଭାରତ ଏବଂ ଚାରି ନମ୍ବରରେ ଥିବା ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବା ସ୍ପଷ୍ଟ ହୋଇଯାଇଛି।

ଏହି ପ୍ରତୀକ୍ଷିତ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଚଳିତ ମାସ ୧୫ ତାରିଖରେ ଖେଳାଯିବ। ଯାହା ୨୦୧୯ ବିଶ୍ବକପ୍ ସେମିଫାଇନାଲ୍‌ର ପୁନରାବୃତ୍ତି ହେବ। ୪ବର୍ଷ ତଳେ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ବକପ୍‌ର ଗତ ସଂସ୍କରଣର ସେମିଫାଇନାଲ୍‌ରେ ମଧ୍ୟ ଭାରତ-ନ୍ୟୁଜିଲାଣ୍ଡ ଭେଟାଭେଟି ହୋଇଥିଲେ। ବର୍ଷା ପ୍ରଭା‌ବିତ ସେହି ମୁକାବିଲାକୁ ୧୮ ରନ୍‌ରେ ଜିତି ନ୍ୟୁଜିଲାଣ୍ଡ ଫାଇନାଲକୁ ଯାଇଥିଲା।

ସେପଟେ ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଚୂରମାର୍ ହୋଇଯାଇଥିଲା। ଏଥର ଘରୋଇ ପରିବେଶରେ ଭାରତ ହାତରେ ସେହି ଦୁଃଖଦ ପରାଜୟର ପ୍ରତିଶୋଧ ନେବାର ସୁଯୋଗ ରହିବ। ସେହିଭଳି ବିଶ୍ବକପ୍ ନକ୍‌ଆଉଟ୍ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡକୁ କେ‌େବବି ନହରାଇବାର ଅପଯଶକୁ ଦୂର କରିବାର ମୌକା ମଧ୍ୟ ମିଳିବ। ସଂପ୍ରତି ଭାରତ ୮ ମ୍ୟାଚ୍ ଖେଳି ୧୬ ପଏଣ୍ଟ୍‌ ସହ ତାଲିକାର ପ୍ରଥମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ତା’ର ୯ଟି ଯାକ ଲିଗ୍ ମ୍ୟାଚ୍ ଖେଳି ୫ ବିଜୟ ସହ ୧୦ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଦ୍ବିତୀୟ ସେମିଫାଇନାଲ୍‌ରେ ପୂର୍ବ ବିଜେତା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭେଟାଭେଟି ହେବେ। ଏହି ମ୍ୟାଚ୍ ପରଦିନ ଅର୍ଥାତ୍ ୧୬ ତାରିଖରେ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯିବ। ଉଭୟ ୧୪ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଉନ୍ନତ ରନ୍ ହାର ପାଇଁ ଦକ୍ଷିଣ ଆଫ୍ରିକା ପଏଣ୍ଟ ତାଲିକାର ଦ୍ବିତୀୟ ଏବଂ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି। ୪୭ଟି ରୋମାଞ୍ଚକର ଲଢ଼େଇ ପରେ ମେଗା ଫାଇନାଲ୍‌ ୧୯ ତାରିଖରେ ଅହମଦାବାଦରେ ଖେଳାଯିବ।