‘ଧର୍ମେନ୍ଦ୍ର ଭାଇ ଆପଣ ଟିକେ ରାଜ୍ୟ ବିଜେପି ନେତାଙ୍କୁ ବୁଝାନ୍ତୁ’; କାମିୟା ଜାନି ବିବାଦରେ ପୁଣି ମାନସଙ୍କ ଟୁଇଟ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତେଜୁଛି କାମିୟା ଜାନି ବିବାଦ। ଏହି ପ୍ରସଙ୍ଗରେ ବିଜେଡି-ବିଜେପି ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ। ଏହି କ୍ରମରେ ଏହି ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଟୁଇଟ୍ କରି ପରାମର୍ଶ ଦେଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। ଗତକାଲି ମାନସଙ୍କ ପୋଷ୍ଟ ପରେ ଆଜି ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ, ମହାପ୍ରଭୁ ଜଗନ୍ନାଥ ସାଢେ଼ ଚାରି କୋଟି ଓଡିଆଙ୍କ ସମେତ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଅସ୍ଥାର ପ୍ରାଣକେନ୍ଦ୍ର। ଅତ୍ୟଧିକ ଉତ୍ସାହିତ ହୋଇ କେହି ମହାପ୍ରଭୁ ଜଗନ୍ନାଥ କିମ୍ବା ଓଡ଼ିଆ ଙ୍କ ଅସ୍ଥା ଓ ବିଶ୍ୱାସ ସହ ଖେଳନ୍ତୁନାହିଁ ବୋଲି ଧର୍ମେନ୍ଦ୍ର କହିଥିଲେ। ଯାହାକୁ ନେଇ ସାଂସଦ ମାନସ ମଙ୍ଗରାଜ ସୋସିଆଲ ମିଡିଆରେ କହିଛନ୍ତି ଯେ, ଡେରିରେ ହେଉ ପଛେ ଆପଣ ଠିକ୍ କଥା କହିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡିଶା ତଥା ଓଡିଶା ବାହାରେ ରହୁଥିବା ସଭିଙ୍କର ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର ।

ହେଲେ, ବିଜେପିର କିଛି ନେତା ଗତ ଦୁଇ-ତିନି ଦିନ ଧରି ଓଡିଶାକୁ ଏବଂ ଶ୍ରୀକ୍ଷେତ୍ରକୁ ବଦନାମ କରିବାକୁ ଯେଉଁ ଅପଚେଷ୍ଟା କରିଛନ୍ତି ତାକୁ ସଭିଏଁ ଦେଖୁଛନ୍ତି । କାମିଆ ଜାନିଙ୍କୁ କେନ୍ଦ୍ର ସରକାର ଦେଶର ହିନ୍ଦୁ ମନ୍ଦିର ଐତିହ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିୟୋଜିତ କରିଥିଲେ। ହେଲେ ଜଗନ୍ନାଥ ଧାମ ଆସି ପରିକ୍ରମା ପ୍ରକଳ୍ପର ଭିଡିଓ କଲେ କାହିଁକି ଅସୁବିଧା ହେଉଛି । କେବଳ ସେତିକି ନୁହେଁ କାହିଁକି ବିଜେପି ନେତା ଫେକ୍ ନ୍ୟୁଜ ଓ ଫେକ୍ ଭିଡିଓ ଜରିଆରେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। କାମିଆ ଜାନି ଯଦି ରାମ ମନ୍ଦିରକୁ ପ୍ରମୋଟ୍ କରିବା ଠିକ୍, ତେବେ ପରିକ୍ରମା ପ୍ରକଳ୍ପକୁ ପ୍ରମୋଟ୍ କଲେ ଅସୁବିଧା କେଉଁଠି ରହିଲା? ଫେକ ନ୍ୟୁଜ୍ ଜରିଆରେ ଲୋକଙ୍କ ଭାବାବେଗ ସହ ଖେଳିଥିବା ରାଜ୍ୟ ବିଜେପିର ଏହି ନେତାଙ୍କ ବିରୋଧରେ ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଂସଦ ମାନସ ମଙ୍ଗରାଜ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରାମର୍ଶ ଦେଇଛନ୍ତି।

Related Posts