ସିଟ୍ ଭାଗବଣ୍ଟାକୁ ନେଇ ଇଣ୍ଡିଆ ମେଣ୍ଟରେ ଫାଟ; ‘ଭିକ ମାଗୁନୁ’ କହି ମମତାଙ୍କୁ ଅଧୀରଙ୍କ ଟାର୍ଗେଟ

ଭୁବନେଶ୍ୱର ୫/୧(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ପୁର୍ବରୁ ସିଟ୍ ଭାଗବଣ୍ଟାକୁ ନେଇ ଇଣ୍ଡିଆ ମେଣ୍ଟରେ ଫାଟ । ଯାହାକୁ ନେଇ କଂଗ୍ରେସ-ଟିଏମସି ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୪୨ ଟି ଆସନରୁ ମାତ୍ର ଦୁଇଟି ଆସନ ଦେବାକୁ କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯାହାକୁ ନେଇ ଆମେ ଭିକ ମାଗୁନୁ କହି ମମତାଙ୍କୁ କଂଗ୍ରେସ ସାଂସଦ ତଥା ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ ଟାର୍ଗେଟ କରିଛନ୍ତି।

ଅଧୀର କହିଛନ୍ତି, ପଶ୍ଚିମବଙ୍ଗରେ ଅଧିକ ଆସନ ଜିତିବାକୁ ଆମକୁ ଟିଏମସିର ସମର୍ଥନର ଆବଶ୍ୟକତା ନାହିଁ । ପଶ୍ଚିମବଙ୍ଗରେ କଂଗ୍ରେସ ନିଜ ବଳରେ ବିଜେପି ଏବଂ ମମତାଙ୍କୁ ହରାଇ ଦୁଇଟି ଆସନ ଜିତିଛି । ଆମେ ତାଙ୍କୁ ଭିକ ମାଗୁନୁ । ଏଥିସହିତ ମମତା କ’ଣ କରୁଥିବା ନେଇ ପ୍ରଶ୍ନ କରିଛନ୍ତି ଅଧୀର । ମମତା କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁନାହାଁନ୍ତି । କଂଗ୍ରେସ ନିଜ ବଳରେରେ ନିର୍ବାଚନ ଜିତିପାରିବ। ମମତା, କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେବାରେ ବ୍ୟସ୍ତ ରହୁଛନ୍ତି ବୋଲି କହିଛନ୍ତି ଅଧୀର ରଞ୍ଜନ ଚୌଧୁରୀ ।

ତେବେ ୨୦୧୯ ଲୋକସଭା ନିର୍ବାଚନ ବେଳେ ଟିଏମ୍‌ସି ରାଜ୍ୟରେ ୪୩ ପ୍ରତିଶତ ଭୋଟ ପାଇଥିଲା ଓ ୨୨ଟି ଆସନରେ ଜିତିଥିଲା। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗର ପ୍ରମୁଖ ଦଳକୁ ସିଟ୍‌ ବଣ୍ଟନ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବାକୁ ଅଧିକାର ଦିଆଯାଉ ବୋଲି ଟିଏମ୍‌ସି ଚାହୁଁଛି।

ସୂଚନାଯୋଗ୍ୟ ଯେ, ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ସମସ୍ତ ୪୨ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଏଥିରୁ କେବଳ ମାଲଦା ଦକ୍ଷିଣ ଏବଂ ବରହମପୁର ଦୁଇଟି ସିଟ୍ ଜିତି ପାରିଥିଲା କଂଗ୍ରେସ। ପଶ୍ଚିମବଙ୍ଗରେ ଦଳକୁ ମାତ୍ର ୫.୬୭ ପ୍ରତିଶତ ଭୋଟ ମିଳିଥିଲା।

Related Posts