ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସିଜିମାଳିରେ ଖଣିକୁ ବିରୋଧ କରିବା କ’ଣ ଏବେ ଅପରାଧ? ନିଜ ଜଙ୍ଗଲ, ଜମି ଓ ପାହାଡ଼କୁ ବଞ୍ଚାଇବା ପାଇଁ ସ୍ୱର ଉଠାଇଲେ କ’ଣ ମିଳିବ ହତ୍ୟା ଉଦ୍ୟମ ଓ ଡକାୟତି ଭଳି ସଙ୍ଗିନ ମାମଲା?

ଏହି ପ୍ରଶ୍ନ ନେଇ ଏବେ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ମାନବାଧିକାର କର୍ମୀ। ପ୍ରଫୁଲ୍ଲ ସାମନ୍ତରାଙ୍କ ପକ୍ଷରୁ ଅକ୍ଟୋବର ୧୯ରେ ରାଜ୍ୟପାଳଙ୍କୁ ଦିଆଯାଇଥିବା ଆବେଦନରେ ରାୟଗଡ଼ା ଓ କଳାହାଣ୍ଡିରେ ଖଣି ବିରୋଧୀ ଆନ୍ଦୋଳନକାରୀଙ୍କୁ ମନଇଚ୍ଛା ଗିରଫ କରାଯାଉଥିବା ଅଭିଯୋଗ ଉଠିଛି।

ଅକ୍ଟୋବର ୧୬ ରାତିରେ ଗିରଫ ହୋଇଛନ୍ତି ଡାକ୍ତର ରାଣ୍ଡାଲ୍ ସେକ୍ୱେରା ଓ ଦଳିତ ଅଧିକାର କର୍ମୀ ଲକ୍ଷ୍ମଣ ନାୟକ। ଛଅ ମାସ ପୁରୁଣା କଣ୍ଟାମାଳ ସଂଘର୍ଷ ମାମଲାରେ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଦଙ୍ଗା ଓ ଅସ୍ତ୍ର ଆଇନ ଅଧୀନରେ ଅଭିଯୋଗ ଲଗାଯାଇଛି।

ପୋଲିସ କହୁଛି, ଏପ୍ରିଲ୍ ମାସରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ପାଇଁ ଦୁଇଜଣ ଲୋକଙ୍କୁ ଉସୁକାଇଥିଲେ। ଅନ୍ୟପଟେ ମାନବାଧିକାର ସଂଗଠନ ଏହାକୁ ଆନ୍ଦୋଳନ ଦମନ ପାଇଁ ମିଥ୍ୟା ମାମଲା ବୋଲି ଅଭିଯୋଗ କରିଛନ୍ତି। ସେହିପରି ଜଣାଶୁଣା ଆଦିବାସୀ ଅଧିକାର ଓ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଲିଙ୍ଗରାଜ ଆଜାଦ ଙ୍କୁ ମିଛ ମକଦମା ରେ ମାସ ମାସ ଧରି ଗିରଫ କରି ଜେଲରେ ରଖିଥିବା ଅଭିଯୋଗ ବାରମ୍ବାର ଉଠୁଛି

କିନ୍ତୁ ମୋହନ ମାଝୀ ସରକାରଙ୍କୁ ଏଠାରେ କିଛି ସିଧା ପ୍ରଶ୍ନ।

ପ୍ରଥମ — ଏପ୍ରିଲ୍‌ର ଘଟଣା ପାଇଁ ଅକ୍ଟୋବରରେ ଗିରଫଦାରୀ କାହିଁକି? ଏହି ଛଅ ମାସରେ ପୋଲିସ କେଉଁ ନୂଆ ପ୍ରମାଣ ପାଇଲା?

ଦ୍ୱିତୀୟ — ସିଜିମାଳିର ଗ୍ରାମସଭାଗୁଡ଼ିକର ମତାମତ, ଜଙ୍ଗଲ ଅଧିକାର ଆଇନ ଅଧୀନରେ ଦାବି ଏବଂ ଖଣି ପ୍ରକଳ୍ପ ପାଇଁ ଆବଶ୍ୟକ ଅନୁମତିର ସ୍ଥିତି ସରକାର ସାର୍ବଜନୀନ କରିବେ କି?

ତୃତୀୟ — ଯେଉଁ ଆଦିବାସୀଙ୍କ ପାଇଁ ସମ୍ବିଧାନର ପଞ୍ଚମ ଅନୁସୂଚୀ, PESA ଓ ଜଙ୍ଗଲ ଅଧିକାର ଆଇନରେ ସୁରକ୍ଷା ରହିଛି, ସେମାନଙ୍କ ଆପତ୍ତିର ସମାଧାନ ପୋଲିସ ଦ୍ୱାରା ହେବ, ନା ଆଇନସମ୍ମତ ଗ୍ରାମସଭା ପ୍ରକ୍ରିୟା ଦ୍ୱାରା?

ଆଉ ସବୁଠାରୁ ବଡ଼ ପ୍ରଶ୍ନ — ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ସରକାରରେ ଆଦିବାସୀଙ୍କ ଜମି ଓ ଜଙ୍ଗଲ ସମ୍ପର୍କିତ ଆପତ୍ତି ଶୁଣିବାର ବ୍ୟବସ୍ଥା କେତେ ପ୍ରଭାବଶାଳୀ?

ସରକାର ଖଣି ପ୍ରକଳ୍ପକୁ ବିକାଶର ମାଧ୍ୟମ ବୋଲି କହିପାରନ୍ତି। କିନ୍ତୁ ବିକାଶ ପାଇଁ ଆଇନଗତ ଅଧିକାରକୁ ଅଣଦେଖା କରାଯାଇପାରିବ ନାହିଁ। ପୋଲିସର ଅଭିଯୋଗ ସତ୍ୟ କି ନୁହେଁ, ତାହା ପ୍ରମାଣ ଓ ନ୍ୟାୟିକ ପ୍ରକ୍ରିୟାରେ ନିର୍ଦ୍ଧାରିତ ହେବ।

କିନ୍ତୁ ଖଣିକୁ ବିରୋଧ କରିବା ମାତ୍ରେ କେହି ଅପରାଧୀ ହୋଇଯାଆନ୍ତି ନାହିଁ। ଶେଷରେ ପ୍ରଶ୍ନ — ସିଜିମାଳିରେ ଆଦିବାସୀଙ୍କ ସହ ଆଲୋଚନାକୁ ସରକାର କେତେ ପ୍ରାଥମିକତା ଦେଉଛନ୍ତି, ଆଉ ପୋଲିସ କାର୍ଯ୍ୟାନୁଷ୍ଠାନର ସ୍ୱାଧୀନ ସମୀକ୍ଷା ପାଇଁ ପ୍ରସ୍ତୁତ କି?