ଭୁବନେଶ୍ବର,୭/୧(ସତ୍ୟପାଠ ବ୍ୟୁରୋ): ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ଟାର୍ଗେଟ ରେ ବିଜେଡି ଓ ବିଜେପି। କହିଲେ ଓଡ଼ିଶାରେ ଚାଲିଛି ବୁଝାମଣା ସରକାର । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ବିଜେଡି ଓ ବିଜେପି ଭିତରେ ବୁଝାମଣା ହୋଇଛି। ବିଜେଡି ବିଜେପିକୁ ଦେବ ୧୫ ଲୋକସଭା ଆସନ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର।
ଶାସକ ଦଳ ବିରୋଧରେ ଅଭିଯୋଗ ଆଣି କଂଗ୍ରେସ ପ୍ରଭାରୀ କହିଛନ୍ତି, ରାଜ୍ୟରେ ବାହାରି ଶାସନ ଚାଲିଛି। ଅମଲା ଶାସନ ଲୋକଙ୍କ ପାଖରେ ପହଞ୍ଚିପାରୁନି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟର ଏକମାତ୍ର ରାଜନୈତିକ ଦଳ ଭାବେ କଂଗ୍ରେସ ଲୋକଙ୍କ ସହ ରହିଛି ବୋଲି ସେ ଦାବି କରିଛନ୍ତି। ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଅଜୟ କୁମାର ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ସମୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।





