‘ଆବଶ୍ୟକ ପଡିଲେ କଳ୍ପନା ହେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ’: ହେମନ୍ତଙ୍କ ଭଉଣୀଙ୍କ ବୟାନ ପରେ ବଢିଲା ଚର୍ଚ୍ଚା’

ଭୁବନେଶ୍ୱର,7/1(ସତ୍ୟପାଠ ବ୍ୟୁରୋ): ଇଡି ମାମଲାରେ ଛନ୍ଦି ହୋଇଯାଇଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ତେବେ ଗତ ସପ୍ତାହରେ ହେମନ୍ତ ସୋରେନଙ୍କ ପାର୍ଟି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେବାପରେ ଝାଡଖଣ୍ଡ ରାଜନୀତି ଉଷ୍ମ ହୋଇଛି । ଆକଳନ କରାଯାଉଛି କି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି । କିନ୍ତୁ ସେ ଇସ୍ତଫା ଦେବା ପରେ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଚର୍ଚ୍ଚା ଜୋରଧରିଚି । ଏହି ଆଲୋଚନା ଭିତରେ ହେମନ୍ତ ସୋରେନଙ୍କ ଭଉଣୀଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି ।

ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳୀ ସୋରେନ କହିଛନ୍ତି କି, ଯଦି ଆବଶ୍ୟକ ପଡେ ତେବେ କଳ୍ପନା ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ପାର୍ଟିରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅନେକ ଲୋକ ଅଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ପାର୍ଟି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ । ହେମନ୍ତ ସୋରେନଙ୍କୁ ବାରମ୍ବାର ଇଡି ନୋଟିସ କରିବା ମାମଲାରେ ଅଞ୍ଜଳୀ କହିଛନ୍ତି ଯେ, ଗୋଟିଏ ପଟେ କେନ୍ଦ୍ର ସରକାର ଆଦିବାସୀଙ୍କ ବିକାଶ କଥା କହି ଡିଣ୍ଡିମ ପିଟୁଛନ୍ତି ତ ଅନ୍ୟପଟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ତଳକୁ ଖସାଇବାକୁ ଚେଷ୍ଟା କରୁଛନ୍ତି । ହେମନ୍ତ ସୋରେନ ଜଣେ ଆଦିବାସୀ ବୋଲି ତାଙ୍କ ଉପରେ ଏଭଳି ଉତ୍ପୀଡନ କରାଯାଉଥିବା କଥା ଅଞ୍ଜଳୀ କହିଛନ୍ତି ।

ସୂଚନା ଥାଉକି ଜମି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ ଜେରା ପାଇଁ ନୋଟିସ କରିଛି, ହେଲେ ହେମନ୍ତ ସୋରେନ ଇଡିର ନୋଟିସକୁ ବାରମ୍ବାର ଆଗ୍ରାହ୍ୟ କରିଦେଇଛନ୍ତି । ଏହି କ୍ରମରେ ଇଡି ସପ୍ତମ ନୋଟିସ ଜାରି କରିଛି । ଏହି କାରଣରୁ ଅନୁମାନ କରାଯାଉଛି କି, ଇଡି ଏହି ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଜବାଜ ହେଉଛି ଏବଂ ସୁଯୋଗ ଅପେକ୍ଷାରେ ଅଛି । ତେବେ ଅନୁମାନ କରାଯାଉଛି କି ଏଥିପାଇଁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ।

Related Posts