କଟକରୁ ଲୋକସଭା ନିର୍ବାଚନ ଲଢ଼ିବେ କି ବୈଷ୍ଣବ?; ଗଣମାଧ୍ୟମ ଆଗରେ ନିଜେ ରଖିଲେ ଉତ୍ତର

ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): କଟକର ଜିଲ୍ଲାପାଳ ଥିଲେ ଅଶ୍ୱିନୀ ବୈଷ୍ଣବ । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ମୋଦୀ ସରକାରରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ବିଭାଗ । କିନ୍ତୁ କୁହାଯାଉଛି, ୨୦୨୪ରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବାକୁ ପଡ଼ିବ । ଆଉ ସେହିକ୍ରମରେ କଟକ ଉପରେ ଆଖି ରଖିଛନ୍ତି ରେଳମନ୍ତ୍ରୀ । ଗୋଟିଏ ଦିନରେ କଟକରେ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ କାର୍ଯ୍ୟକ୍ରମ ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଛି ।

କେନ୍ଦ୍ରମନ୍ତ୍ରୀ ବି ପ୍ରତିକ୍ରିିୟାରେ କହିଛନ୍ତି, ଦଳ ଯେଉଁ ଦାୟିତ୍ୱ ଦେବ, ତାକୁ ତୁଲାଇବେ ।କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ ଗସ୍ତ । କେନ୍ଦ୍ର ରେଳମନ୍ତ୍ରୀ ଆଠଗଡରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ଆଠଗଡ, ତିଗିରିଆ ଓ ବଡମ୍ବାକୁ ମାରାଥନ ଗସ୍ତ କରିଛନ୍ତି । ସଙ୍ଗଠନ ସମ୍ପର୍କରେ ନେତାଙ୍କ ସହ ଆଲୋଚନା କରିଛନ୍ତି ଆଉ ଲୋକଙ୍କୁ ପୁଳାପୁଳା ପ୍ରତିଶ୍ରୃତି ବି ଦେଇଛନ୍ତି । ଆଠଗଡ ଘଂଟିଖାଲରେ ଓଭରବ୍ରିଜ କରିବାକୁ ଘୋଷଣା କରିଛନ୍ତି । ଘଂଟିଖାଲ ଓ ରାଜାଆଠଗଡରେ ରେଳଷ୍ଟେସନରେ ଏକ୍ସପ୍ରେସ ରହଣି କରିବ ବୋଲି କହିଛନ୍ତି । ତିଗିରିଆ ପାଂଚଗାଁ ଖେଳପଡିଆରେ ଫୁଟବଲ ଟୁର୍ଣ୍ଣାମେଂଟରେ ସାମିଲ ହୋଇଛନ୍ତି । ଆଉ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ଯେ, କଟକରୁ ଅଶ୍ୱିନୀ ବୈଷ୍ଣବ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ।

ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କେନ୍ଦ୍ରମନ୍ତ୍ରୀ ଓ ନେତାଙ୍କୁ ପଠାଇ ବିଜେପି ନିଜ ସପକ୍ଷରେ ମାହୋଲ ତିଆରି କରିଥିଲା । ତେଣୁ ସେହି ଆଧାରରେ ଅଶ୍ୱିନୀଙ୍କୁ ବି କଟକ ଭଳି ହାଇ ଭୋଲଟେଜ ଆସନରୁ ପ୍ରାର୍ଥୀ କରାଇବା ଯୋଜନା କରୁଛି ବିଜେପି । ୨୦୧୯ରେ କଟକରେ ବିଜେଡି ସାଂସଦ ଭର୍ତୃହରି ମହାତାବଙ୍କ ବିରୋଧରେ ଲଢିଥିଲେ ପ୍ରକାଶ ମିଶ୍ର ।

ବିଜେପିର ପରାଜୟର ବ୍ୟବଧାନ ଲକ୍ଷେ ୨୧ ହଜାରରୁ ଅଧିକ ଥିଲା

-ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେପିର ଭୋଟ ପ୍ରତିଶତ ବଢିଥିଲା

-ବିଜେଡି ୨୦୧୪ ଅପେକ୍ଷା ୨୦୧୯ରେ ୧୦% କମ ଭୋଟ ପାଇଥିଲା

-ବିଜେପିର ଭୋଟ ପ୍ରତିଶତ ୨୩% ବଢିଥିଲା

ତେଣୁ ଅଶ୍ୱିନୀ ବୈଷ୍ଣବ କଟକରୁ ପ୍ରାର୍ଥୀ ହେଲେ ଏକ ବଡ ସମ୍ଭାବନା ସୃଷ୍ଟି ହୋଇପାରେ ହୋଲି ବିଜେପି ଆକଳନ କରୁଛି । ବିଜେଡି କହିଛି, ଏହାର କିଛି ପ୍ରଭାବ ପଡିବନି । ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ବାଲେଶ୍ୱରରେ ସେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଆଉ ୧୯୯୯ ମହାବାତ୍ୟା ବେଳେ କଟକର ଜିଲ୍ଲାପାଳ ରହି ଗୁରୁ ଦାୟିତ୍ୱ ତୁଲାଇଥିଲେ । ତେଣୁ କଟକ ତାଙ୍କୁ ବେଶ୍ ସୁହାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Related Posts