ମାଲକାନଗିରି ବିମାନବନ୍ଦରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,9/1 (ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଠାରେ ନୂତନ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ମଧ୍ୟ ମାଲକାନଗିରିରେ ପହଞ୍ଚିଛନ୍ତି। ଏହାଛଡ଼ା ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ମାଲକାନଗିରି ଠାରେ ନିର୍ମାଣ ହୋଇଥିବା ନୂତନ ବିମାନବନ୍ଦର ଶୁଭାରମ୍ଭ ହେବାପରେ ଜିଲ୍ଲାବାସୀଙ୍କ ସ୍ବପ୍ନ ପୂରଣ ହୋଇଛି। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଟର୍ମିନାଲ-୨ ପରିଦର୍ଶନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାରେ ସମୁଦାୟ ୪୧୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ସପ୍ତଧାରା ପ୍ରକଳ୍ପ ପାଇଁ ୩୫୦୦ କୋଟି ଟଙ୍କା ମଞ୍ଜୁର ହୋଇଛି।୧୬ କୋଟି ଟଙ୍କର ବିଭିନ୍ନ ପ୍ରକଳ୍ପ ମଞ୍ଜୁର ହୋଇଥିବା ବେଳେ ବିଭିନ୍ନ ରାସ୍ତା ଓ ପୋଲ ପାଇଁ ମଧ୍ୟ ଅନୁଦାନ ମଞ୍ଜୁର କରାଯାଇଛି। ଗୋବିନ୍ଦପାଲି ଜଳ ସେଚନ ପ୍ରକଳ୍ପ ଲାଗି ଡିପିଆର ଉନ୍ମୋଚନ କରିଛନ୍ତି ମୁଖ୍ଯମନ୍ତ୍ରୀ। ସପ୍ତଧାରା ଓ ଗାରିଆ ନଦୀ ଉପରେ ଜଳ ଭଣ୍ଡାର ହେବ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ହଜାର ହଜାର ଲୋକ ସମାଗମ ହେଲେ ଏବଂ ଉଦଘାଟନ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଉଦଘାଟନୀ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ବିଶାଲ ସିଂ ବୁଲି ଦେଖିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ।

୧୪ ମାସରେ ଏହି ବିମାନବନ୍ଦର କାମ ଶେଷ ହେଲା।ବିମାନବନ୍ଦର ଟେଣ୍ଡର ପ୍ରକ୍ରିୟାରେ ଜୟପୁର ତାରାତାରିଣୀ କନଷ୍ଟ୍ରକସନ୍ ପ୍ରାଇଭେଟ ଲିମିଟେଡ୍ କାମ ପାଇଥିଲା। ଜମି ଅଧିଗ୍ରହଣ ହୋଇସାରିଥିବା ବେଳେ ୨୦୨୨ ମସିହା ନଭେମ୍ବର ୧ ତାରିଖରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ଅକ୍ଟୋବର ୩୧ ତାରିଖରେ ସମୟ ରହିଥିଲା। କିନ୍ତୁ ତାହାକୁ ଚଳିତ ମାସରେ ଶେଷ କରିଥିଲେ। ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଗତ ବର୍ଷ ମାର୍ଚ୍ଚ ମାସରେ ମାଲାକନଗିରି ଏୟାରପୋର୍ଟ ଗସ୍ତ କରି ନୂତନ ବର୍ଷ ପୂର୍ବରୁ କାମ ଶେଷ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବିମାନବନ୍ଦର ପାଇଁ ୫୪.୧୫ କୋଟି ଟଙ୍କା ବ୍ୟୟରେ ୧୪ ମାସରେ ନିର୍ମାଣ ହୋଇଛି।

Related Posts