ଅର୍ପଣ ରଥରେ ନବୀନଙ୍କ ଫଟୋ; ଜଗନ୍ନାଥଙ୍କ ନାଁରେ ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡିର ଯୋଜନା!

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା 17 ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ | ଆଉ ଏହା ପୂର୍ବରୁ ଏବେ ଗାଁ ଗାଁ ରେ ବୁଲୁଛି ଅର୍ପଣ ରଥ | ଏହି ରଥରେ ଗୁଆ, ଅରୁଆ ଚାଉଳ ଦେବାକୁ ସମସ୍ତଙ୍କୁ ନିବେଦନ କରାଯାଇଛି | ମହାପ୍ରଭୁ ଜଗନ୍ନାଥ ପ୍ରତି ଓଡ଼ିଆଙ୍କ ଭାବାବେଗ ସହ ଜଡିତ ଥିବାରୁ ଏହି ଅର୍ପଣ ରଥରେ ଗୁଆ, ଅରୁଆ ଚାଉଳ ଦେବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି | ହେଲେ ଏହି ମୌକାରେ ବିଜେଡି ପକ୍ଷରୁ ଯେଉଁ ପଲିଟିକାଲ ପ୍ଲାନ କରାଯାଇଛି ତାହା ଏହି ଅର୍ପଣ ରଥକୁ ଦେଖିଲେ ହିଁ ଜଣାପଡିବ | ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ସହିତ ପାର୍ଶ୍ୱ ଦେବଦେବୀଙ୍କ ଭଳି ଚାରିପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାଧିକ ଫଟୋ ମରାଯାଇଛି | ଏହି ରଥକୁ ଏବେ ସଂକୀର୍ତ୍ତନ କରି ଗାଁ ଗହଳିରେ ବୁଲାଯାଉଛି | ଆଉ ଗୁଆ, ଅରୁଆ ଚାଉଳ ସଂଗ୍ରହ ହେଉଛି |

ତେବେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ଗହଳିରେ ଅର୍ପଣ ରଥ ବୁଲିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଗଲା | ଏଥିପାଇଁ ମହାନଗର ନିଗମର ପ୍ରତି ୱାର୍ଡ ପିଛା 5 ଲକ୍ଷ, ଏନଏସି ପାଇଁ 3 ଲକ୍ଷ ଓ ପଂଚାୟତ ପାଇଁ ଦୁଇ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମଧ୍ୟ କରାଗଲା | ହେଲେ ଏବେ ସରକାରୀ ଟଙ୍କାରେ ବୁଲୁଥିବା ଏହି ରଥରେ ମହାପ୍ରଭୁଙ୍କ ମୂର୍ତ୍ତି ସହ ନବୀନଙ୍କ ଫଟୋ ମରାଜିବାକୁ ନେଇ ପ୍ରଶ୍ନ ଉଠିଛି | ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନାଁରେ ସଂଗ୍ରହ ହେଉଥିବା ଏହି ଗୁଆ ଅରୁଆ ଚାଉଳର ଭବିଷ୍ୟତ କଣ ହେବ ତାହା ତ ଜଣ ନାହିଁ, ହେଲେ ଅର୍ପଣ ରଥ ବୁଲାଇବା ନାଁରେ ବିଜେଡି ଅଘୋଷିତ ପ୍ରଚାର ଆରମ୍ଭ କରିଦେଇଛି ବୋଲି ଚର୍ଚ୍ଚା ହେଉଛି |

ତେବେ ସବୁଠାରୁ ମାରାତ୍ମକ କଥା ହେଲା ଏଥର ନିର୍ବାଚନ ବୈତରଣୀ ପାର ହେବାକୁ ଜଗନ୍ନାଥଙ୍କୁ ମାଧ୍ୟମ କରିଛି ବିଜେଡି | ଓଡିଶାବାସୀଙ୍କ ଭାବାବେଗକୁ ଆୟୁଧ କରି ଭୋଟ ହାତେଇବାକୁ ଯୋଜନା କରିଛି ଦଳ | ତେବେ ଏଭଳି ପ୍ରୟାସକୁ ଲୋକେ କିଭଳି ଗ୍ରହଣ କରୁଛନ୍ତି, ନିଜ ଲକ୍ଷରେ ବିଜେଡି କେତେ ସଫଳ ହେଉଛି ନା ଦଳ ପାଇଁ ଏହା ବୁମେରାଂ ହେଉଛି ଏବେ ତାହା ଦେଖିବାକୁ ବାକି ରହିଲା |

Related Posts