ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଭବନରୁ ଠାବ କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବିଡିଓ ସ୍ବର୍ଗତ ମହାନ୍ତିଙ୍କ ମୃତଦେହ ଜବତ କରିଛି।
ସୂଚନା ଅନୁସାରେ, ଆଜି ଦିନ ୧୧ଟା ୩୦ରେ ବିଡ଼ିଓ ଦେହ ଭଲ ନାହିଁ ବୋଲି କହି ଅଫିସରୁ ସରକାରୀ ବାସଭବନକୁ ଯାଇଥିଲେ। ଚାରିଟା ସୁଦ୍ଧା ଆଉ ଅଫିସକୁ ନ ଆସିବାରୁ ପିଅନ ଡାକିବାକୁ ଯାଇଥିଲେ। ଭିତରୁ ଗ୍ରିଲ ଓ କବାଟ ଦିଆ ଯାଇଥିବାରୁ ଏଂବ ବିଡ଼ିଓଙ୍କୁ ଡାକିବାରୁ ନ ଶୁଣିବାରୁ ପିଅନ ଅଫିସ ଷ୍ଟାଫକୁ ଖବର ଦେଇଥିଲେ। ସମସ୍ତ ଷ୍ଟାଫ ଆସି କଲିଂ ବେଲ ବଜାଇ ନ ଶୁଣିବାରୁ ସିମୁଳିଆ ତହସିଲଦାର ସୁନୀଲ କୁମାର ଟୁଡୁ ଓ ସିମୁଳିଆ ଥାନା ଆଇଆଇସି ସ୍ଵର୍ଣ୍ଣଲତା ମିଞ୍ଜ ଘଟଣାସ୍ଥଳରେ ପହଂଚି ବା ପରେ ତହସିଲଦାରଙ୍କ ଉପସ୍ଥିତରେ ଚାବି ଭଙ୍ଗା ଯାଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ଛାନ୍ଭିନ୍ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ବିଡିଓଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।
ସୂଚନାଯୋଗ୍ୟ, ଗତ ୫/୬ ମାସ ହେଲା ବିଶ୍ବରଂଜନ ମହାନ୍ତି ସିମୁଳିଆରେ ବିଡିଓ ଭାବେ ନିଯୁକ୍ତି ପାଇଥିଲେ।





