ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ବିରୋଧୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦଳୀୟ କାର୍ଯ୍ୟକ୍ରମ ବୋଲି କହିଛି ବିଜେପି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଜଗନ୍ନାଥ କେଉଁ ଦଳର ନୁହନ୍ତି। ସାଲବେଗଙ୍କୁ ଭେଟିବାକୁ ଜଗନ୍ନାଥ ୯ ଦିନ ବାହାରକୁ ବାହାରିଥିଲେ। ଏବେ ଆମେ ସାମିଲ ହେବା ଠିକ୍ କି ନୁହେଁ ଆପଣ ବିଚାର କରନ୍ତୁ ବୋଲି କହିଛନ୍ତି ମନମୋହନ ସାମଲ।
ସେପଟେ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ସରକାର ଅଣଓଡ଼ିଆ ଚିନ୍ତାଧାରା ଦ୍ୱାରା ପ୍ରଭାବିତ, ସରକାର ଜାଣିନାହାନ୍ତି ଶ୍ରୀମନ୍ଦିରର ମାହାତ୍ମ୍ୟ କ’ଣ, ସରକାର ଭାବୁଛନ୍ତି ଏହା ଏକ ପର୍ଯ୍ୟଟନ ସ୍ଥଳୀ, ମହାପ୍ରସାଦର ପ୍ରଚାର ପାଇଁ ଗୋମାଂସ ଭକ୍ଷଣକାରୀଙ୍କୁ ପ୍ରବେଶ କରାଇଲେ। କାନ୍ଥରେ ଚିତ୍ର କରି ମହାପ୍ରଭୁଙ୍କ ଗାଥାଗାନ କରୁଛନ୍ତି, ଏ ଆସ୍ପର୍ଦ୍ଧା ଦେଲା କିଏ’, ଚାରି କଡ଼େ ଗଛ ଲଗାଉଛନ୍ତି, ଏହା କଣ ଏକ ପାର୍କ, ପର୍ଯ୍ୟଟନସ୍ଥଳୀ, ଓଡ଼ିଆମାନଙ୍କ ଭାବାବେଗ ଏ ସରକାର ବୁଝି ନାହାନ୍ତି।
ସେ ଆହୁରି କହିଛନ୍ତି, ମନ୍ଦିର ଚାରିପାଖ ଅବରୋଧକୁ ହଟାଇ ୪ଟି ଶୌଚାଳୟ କରାଯାଇଛି, ୪ଟି ଶୌଚାଳୟ ଉଦଘାଟନ ପାଇଁ ଗୁଆ, ଚାଉଳର ଆବଶ୍ୟକତା ଅଛି କି? ଏହି ଠାକୁର ଲୋକଙ୍କୁ ଖାଇବାକୁ ଦିଏ, ଚାଉଳ ମାଗେନି। ଲୋକଙ୍କ ଚାଉଳରେ ବିଜେଡି କର୍ମୀ ଭୋଜି କରୁଛନ୍ତି। ଜଗନ୍ନାଥ ମନ୍ଦିରରେ ପାଣି ଗଳୁଛି, କିପରି ମରାମତି ହେବ ଚିନ୍ତା କଲେ ଭଲ ହେବ। କରନ୍ତୁ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ । ଏଥିସହିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିଥିବାରୁ ମହାପ୍ରଭୁଙ୍କୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ବିଜୟ କହିଛନ୍ତି।





