ଭୁବନେଶ୍ବର,୧୯/୧(ସତ୍ୟପାଠ ବ୍ୟୁରୋ): ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟା ପ୍ରାୟ ପ୍ରସ୍ତୁତ। ବହୁ ବର୍ଷର ଅପେକ୍ଷା ପରେ ରାମଲଲା ମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ଜାନୁଆରି ୨୨ ତାରିଖରେ ରାମ ମନ୍ଦିରର ଉଦଘାଟନ ଏବଂ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ସମୟରେ ଭଗବାନ ରାମଙ୍କ ମୂର୍ତ୍ତିର ପ୍ରଥମ ଝଲକ୍ ସାମ୍ନାକୁ ଆସିଛି।
ଗୁରୁବାର ରାତିରେ ରାମଲଲା ମୂର୍ତ୍ତିର ପ୍ରଥମ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପ୍ରତିମାକୁ ଗତକାଲିଠାରୁ ଗର୍ଭଗୃହରେ ରଖାଯାଇଛି। ପ୍ରାଣ ପ୍ରତିଷ୍ଠା ପାଇଁ ରୀତିନୀତି ଜାନୁଆରି ୧୬ ତାରିଖରୁ ଆରମ୍ଭ ହୋଇଯାଇଛି। ଗତକାଲି ପବିତ୍ର ମନ୍ଦିରରେ ସ୍ଥାପନ ହେବାକୁ ଥିବା ୨୦୦ କିଲୋଗ୍ରାମ ଓଜନର ରାମଲଲାଙ୍କ ନୂତନ ପ୍ରତିମା ରାମଜନ୍ମ ଭୂମି ପରିସରକୁ ନିଆଯାଇଛି। ଏହାପୂର୍ବରୁ ମନ୍ଦିର ପରିସରରେ ରାମ ଲାଲାଙ୍କ ପ୍ରତିମାକୁ ବୁଲାଇବାର ଯୋଜନା ଥିଲା। କିନ୍ତୁ ପ୍ରତିମାର ଓଜନ ଅଧିକ ହୋଇଥିବାରୁ ସିଧା ଭିତରକୁ ନିଆଯାଇଥିଲା।
ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ଜାନୁଆରି ୨୨ ତାରିଖ ୧୨.୩୦ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଆହୁରି ଅନେକ ବିଶିଷ୍ଟ ଲୋକ ଯୋଗ ଦେବେ। ୪୦୦୦ ସାଧୁ ମଧ୍ୟ ଏଠାରେ ସାମିଲ୍ ରହିବେ। ମୌସୁରର ଅରୁଣ ଯୋଗୀରାଜ ଭଗବାନ ରାମଙ୍କର ଏହି ପ୍ରତିମା ତିଆରି କରିଛନ୍ତି। ପିତା ଏବଂ ଜେଜେବାପାଙ୍କ କାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇ ଅରୁଣ ମୂର୍ତ୍ତି ଗଢ଼ିବା କ୍ଷେତ୍ରରେ ପ୍ରବେଶ କରିଥିଲେ।
