ସରକାରୀ ବଙ୍ଗଳା ଖାଲି କଲେ ମହୁଆ

ଭୁବନେଶ୍ୱର,୧୯/୦୧ (ସତ୍ୟପାଠ ବ୍ୟୁରୋ): ସରକାରୀ ବଙ୍ଗଳା ଖାଲି କଲେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ର। ବଙ୍ଗଳା ଖାଲି କରିବା ଆଦେଶ ଉପରେ ରୋକ ଲଗାଇବାକୁ ନେଇ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଖାରଜ ହେବା ପରେ ଶେଷରେ ଆଜି ସେ ରହୁଥିବା ସରକାରୀ ବଙ୍ଗଳା ଖାଲି କରିଛନ୍ତି। ଇଷ୍ଟେଟ ନିର୍ଦ୍ଦେଶାଳୟର ଏକ ଟିମ୍ ବଙ୍ଗଳା ଖାଲି କରାଇଥିବା ଖବର ପ୍ରକାଶ ପାଇଛି।

ତେବେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗରେ ଗତବର୍ଷ ଡିସେମ୍ବର ୮ରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଏହା ପରେ ଜାନୁଆରୀ ୭ ତାରିଖ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ତାଙ୍କୁ ଇଷ୍ଟେଟ ନିର୍ଦ୍ଦେଶାଳୟ (Directorate of Estates, DoE) ନୋଟିସ୍ ପଠାଇଥିଲା।

ଏହା ସତ୍ତ୍ୱେ ସେ ବଙ୍ଗଳା ଖାଲି କରିନଥିଲେ। ଫଳରେ ୧୧ ତାରିଖରେ ଦ୍ୱିତୀୟ ନୋଟିସ୍ ପଠାଇଥିଲା ଇଷ୍ଟେଟ ନିର୍ଦ୍ଦେଶାଳୟ। ଦ୍ୱିତୀୟ ନୋଟିସ୍ ପରେ ମଧ୍ୟ ସରକାରୀ ବଙ୍ଗଳାରେ ରହିବା ପାଇଁ ଅନୁମତି ଦେବାକୁ ମହୁଆ ଡିଇଓକୁ ଏକ ଚିଠି ଲେଖିଥିଲେ। କିନ୍ତୁ ମହୁଆ ସରକାରୀ ବଙ୍ଗଳାରେ ରହିବା ପାଇଁ ଯେଉଁ ଯୁକ୍ତି ବାଢ଼ିଥିଲେ, ତାକୁ ଇଷ୍ଟେଟ ନିର୍ଦ୍ଦେଶାଳୟ ଗ୍ରହଣ କରି ନଥିଲେ। ଏହା ପରେ ଗତ ମଙ୍ଗଳବାର ମହୁଆଙ୍କ ନିକଟକୁ ଡିଇଓ ତୃତୀୟ ନୋଟିସ୍ ଜାରି କରି ତୁରନ୍ତ ବଙ୍ଗଳା ଖାଲି କରିବାକୁ କହିଥିଲେ।

ଇଷ୍ଟେଟ ନିର୍ଦ୍ଦେଶାଳୟର ନୋଟିସକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହୁଆ। ଗତକାଲି ଦିଲ୍ଲୀ ହାଇକୋର୍ଟ ଏହା ଉପରେ ବିଚାର କରି ତାଙ୍କ ଆବଦେନକୁ ଖାରଜ କରିଦେଇଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମହୁଆ ରହୁଥିବା ସରକାରୀ ବଙ୍ଗଳାକୁ ଖାଲି କରାଯାଇଛି।

Related Posts