ଭୁବନେଶ୍ବର,୧୯/୧(ସତ୍ୟପାଠ ବ୍ୟୁରୋ):   ସୁପ୍ରିମକୋର୍ଟରେ ପହଞ୍ଚିଲା ଏଏସ୍‌ଓ ଚୟନ ଅନିୟମିତତା ମାମଲା। ଶୁକ୍ରବାର ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନୋଟିସ୍‌ କରିଛନ୍ତି। ରାଜ୍ୟ ସରକାର,ଓପିଏସ୍‌ସି ସହ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍‌ କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ରଜତ ମିଶ୍ରଙ୍କ ଏସ୍‌ଏଲ୍‌ପିକୁ ଗ୍ରହଣ କରି ନୋଟିସ୍‌ କରିଛନ୍ତି।

ସୂଚନା ଯୋଗ୍ୟ, ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଏଏସ୍‌ଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ଅନିୟମିତତା ମାମଲାରେ ଉଚ୍ଚ ନ୍ୟାୟାଳୟ ଖଣ୍ଡପୀଠ ୨୩ ଡିସେମ୍ବର ୨୦୨୩ରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ। ଜଣିକିଆ ବିଚାରପତିଙ୍କ ରାୟକୁ ଖଣ୍ଡପୀଠ ଖାରଜ କରିବା ସହ ଓପିଏସ୍‌ସି ଦ୍ବାରା ପ୍ରକାଶିତ ୧୧୦୪ ଜଣଙ୍କ ମେଧା ତାଲିକାକୁ ଅଦାଲତ କାଏମ ରଖିଥିଲେ। ମନୋନୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇ ନଥିବା ଅଦାଲତ ସ୍ପଷ୍ଟ କରିଥିଲେ। ଯେଉଁଠାରୁ ମନୋନୟନ ପ୍ରକ୍ରିୟା ବନ୍ଦ ରହିଥିଲା ସେଠାରୁ ଚାଲୁ ରଖିବାକୁ ଉଚ୍ଚ ନ୍ୟାୟାଳୟ ଓପିଏସ୍‌ସିକୁ ନିର୍ଦେଶ ଦେଇଥିଲେ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ମାମଲାର ବିଚାର କରି ଉକ୍ତ ରାୟ ପ୍ରକାଶ କରିଥିଲେ।