ଭୁବନେଶ୍ୱର,୨୦/୧(ସତ୍ୟପାଠ ବ୍ୟୁରୋ): ବଢ଼ିଲା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡୁଆ | ବାରମ୍ବାର ସମନ ସତ୍ୱେ ସେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ନ ହେବାରୁ ଆଜି ଇଡିର ଏକ ଟିମ୍ ତାଙ୍କ ରାଞ୍ଚି ସ୍ଥିତ ବାସଭବନରେ ପହଞ୍ଚିଛି। ବହୁ ଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ଇଡିର ଟିମ୍ ହେମନ୍ତଙ୍କୁ ପଚରାଉଚରା ମଧ୍ୟ ଆରମ୍ଭ କରିଛି |
ତେବେ ହେମନ୍ତଙ୍କ ବାସଭବନରେ ଇଡିର ଟିମ ପହଂଚିବା ପରେ ଝାଡଖଣ୍ଡରେ ହାଇ ଭୋଲଟେଜ ଡ୍ରାମା ଆରମ୍ଭ ହୋଇଯାଇଛି। ଲୋକେ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ଜେରାକୁ ବିରୋଧ କରି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବଡ ସଂଖ୍ୟାରେ ଦଳର ଆଦିବାସୀ ସମର୍ଥକମାନେ ହାତରେ ଧନୁ ତୀର ଧରି ରାସ୍ତାକୁ ଓହ୍ଲାଇଛନ୍ତି।
ତେବେ ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବା ପାଇଁ ଇଡି ପୂର୍ବରୁ ହେମନ୍ତଙ୍କୁ ସାତ ଥର ସମନ କରିଥିଲା। କିନ୍ତୁ ସେ ଥରଟିଏ ବି ଇଡିରେ ହାଜର ହୋଇ ନଥିଲେ। ଗତ ଜାନୁଆରୀ ୨ରେ ତାଙ୍କୁ ସମନ ପଠାଇବାର କାରଣ ପଚାରିବା ସହ ଇଡି ଉପରେ ପ୍ରଶ୍ନ ଉଠାଇଥିଲେ ହେମନ୍ତ। ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କୁ ଏହି ସମନ ପଠାଯାଉଛି। ସମନ ପାଇଁ ତାଙ୍କୁ ବାରମ୍ବାର ମିଡିଆ ଟ୍ରାଏଲର ସାମ୍ନା କରିବାକୁ ପଡୁଛି। ଏଭଳି କରି ତାଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ ଇଡିକୁ ଚିଠି ଲେଖି କହିଥିଲେ।
ହେଲେ ଲଗାତାର ୭ ଥର ସମନ ପରେ ହେମନ୍ତ ହାଜର ନେହେବାରୁ ଶେଷରେ ଇଡି ତାଙ୍କ ବାସଭବନରେ ପହଂଚିଛି | ଏଭଳି ସ୍ଥିତରେ ଝାଡ଼ଖଣ୍ଡ ଉପରେ ଏବେ ସାରା ଦେଶର ନଜର ରହିଛି |





