ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ): ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବାବେଳେ ଏଥିପାଇଁ ସାରାଦେଶରେ ସରକାରୀ ଛୁଟି ଘୋଷଣା କରାଯାଇଥିଲା। ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ତ୍ରୁଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ୍ କରି ବର୍ଷିଛନ୍ତି। ଦେଶରେ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଛୁଟି ଦିଆଯାଏ କିନ୍ତୁ ଦେଶ ପାଇଁ ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କ ଜନ୍ମଦିନରେ କୌଣସି ଛୁଟି ଘୋଷଣା ନାହିଁ।
ମୁଁ ୨୦ବର୍ଷ ଧରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନରେ ଜାତୀୟ ଛୁଟି ଦାବି କରି ଆସୁଛି। କିନ୍ତୁ ଏହାକୁ କେହି ଖାତିର କରୁନଥିବା ଦିଦି ଅଭିଯୋଗ କରିଛନ୍ତି।
କେବଳ ପଲିଟିକାଲ ପବ୍ଲିସିଟି ଷ୍ଟଣ୍ଟ ପାଇଁ ଦେଶରେ ଛୁଟି ଘୋଷଣା କରାଯାଉଛି। ନେତାଜୀଙ୍କ ଜନ୍ମଦିବସରେ ଛୁଟି ଘୋଷଣା କରିବାକୁ ଭାରତ ସରକାରଙ୍କୁ ୨୦ ବର୍ଷ ହେଲା ଦାବି କରୁଛି। ଏଥିପାଇଁ ମୁଁ ମୋ ଜୀବନ ସାରା ସଂଗ୍ରାମ କରୁଛି। କିନ୍ତୁ ମୁଁ ଦୁଃଖିତ, ମୁଁ ଏଥିରେ ବିଫଳ ହୋଇଛି ବୋଲି ମମତା କୋଲକାତାରେ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି। କେବଳ ସେତିକି ନୁହେଁ ଭଗବାନ ରାମଙ୍କ ବିଷୟରେ ଆଲୋଚନାରୁ ମାତା ସୀତାଙ୍କୁ ହଟାଇବା ପାଇଁ ସେ ବିଜେପିକୁ ‘ମହିଳା ବିରୋଧୀ’ ବୋଲି କହିଛନ୍ତି।
ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଦିନ କୋଲକାତାରେ ତ୍ରୁଣମୂଳ କଂଗ୍ରେସ (ଟିଏମସି) ଦ୍ୱାରା ଏକ ପଦଯାତ୍ରା ଆୟୋଜିତ କରାଯାଇଥିଲା। ଏହାର ନେତୃତ୍ୱ ନେଇ ମମତା ବାନାର୍ଜୀ ଦେଶରେ ଧର୍ମନିରପେକ୍ଷତା ରକ୍ଷା କରିବାରେ ବଙ୍ଗଳାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।
ସୂଚନାଯୋଗ୍ୟ, ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଉତ୍ତରପ୍ରଦେଶରେ ସମ୍ପୂର୍ଣ୍ଣ ଛୁଟି ଘୋଷଣା କରାଯାଇଥିଲା ଏବଂ ସାରା ଦେଶର ବିଭିନ୍ନ ରାଜ୍ୟରେ ସରକାରୀ ସ୍କୁଲ ଓ ଅଫିସଗୁଡିକରେ ଅଧା ଛୁଟି ଘୋଷଣା ହୋଇଥିଲା। ଏପରିକି ବାର୍ ଆସୋସିଏସନ୍ ମଧ୍ୟ ଛୁଟି ଥିଲା।





