ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ପ୍ରସଙ୍ଗକୁ ନେଇ ଚାରିଆଡେ ଚର୍ଚ୍ଚା | ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଥିବାବେଳେ ଏବେ ଏଥିରେ ଆସିଛି ନୂଆ ମୋଡ଼ | ନିଯୁକ୍ତି ପ୍ରକ୍ରିୟାରେ ଦେଖାଦେଇଥିବା ଅନିୟମିତତାର ସବୁ ଦୋଷ ଏବେ OSEPA ଉପରକୁ ଠେଲିଦେଇଛି EdCIL | ଏକ ପ୍ରେସ ବିଜ୍ଞପ୍ତି ଜାରି କରି EdCIL କହିଛି ଯେ, EdCIL ଓଡ଼ିଶା ସରକାରଙ୍କ OSEPA ସହ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଅଗଷ୍ଟ 22, 2023 ରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଏବଂ ପରୀକ୍ଷା ଆୟୋଜନ କରିଥିଲା।
ନିୟମ, ସର୍ତ୍ତାବଳୀ ଓ ମାନଦଣ୍ଡ ଅନୁସାରେ ଆଶାୟୀ ପ୍ରାର୍ଥୀମାନଙ୍କ ଚୟନ କରି ମେରିଟ୍ ତାଲିକା ଓଡ଼ିଶା ସରକାରଙ୍କ ଅଧୀନ OSEPAକୁ ଦିଆଯାଇଥିଲା। ରେସପୋର୍ନସେସ୍ କ୍ୟୁରି ମ୍ୟାନେଜମେଣ୍ଟ ଦ୍ୱାରା OSEPAର ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସବୁ ପ୍ରକାର ଅଭିଯୋଗର ସମାଧାନ କରାଯାଇଥିଲା। ସିବିଟି ପରୀକ୍ଷା ପରେ EdCIL, 22 ଅଗଷ୍ଟ 2023ର ରେଜଲ୍ୟୁସନରେ ଦର୍ଶାଯାଇଥିବା ଗାଇଡଲାଇନ ଆଧାରରେ ପରୀକ୍ଷା ଫଳ ପ୍ରସ୍ତୁତ କରିଥିଲା ଏବଂ ଏମଓୟୁ ଆଧାରରେ OSEPAର ଅଧିକାରପ୍ରାପ୍ତ ନିଯୁକ୍ତ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।
କମ୍ବାଇନଡ୍ ଲିଷ୍ଟ OSEPAକୁ 13 ଜାନୁଆରୀରେ ପ୍ରଦାନ କରାଯାଇଥିଲା ଏବଂ 15 ଜାନୁଆରୀରେ ଜିଲ୍ଲା ଆଲୋକେସନ ସହ ମେରିଟ୍ ଲିଷ୍ଟ OSEPAକୁ ବି ପ୍ରଦାନ କରାଯାଇଥିଲା। ତେଣୁ ଶିକ୍ଷକ ନିଯୁକ୍ତିରେ ଯାହା କିଛି ସମସ୍ୟା ହୋଇଛି, ସେଥିରେ EdCILର କୌଣସି ଭୂମିକା ନାହିଁ ବରଂ OSEPA ତରଫରୁ ସମସ୍ୟା ରହିଥିବା ସ୍ପଷ୍ଟୀକରଣ ଦେଇଛି EdCIL।
ସୂଚନାଯୋଗ୍ୟ ଯେ, ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ପ୍ରସଙ୍ଗ ସାମ୍ନାକୁ ଆସିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଥିଲେ | ତେବେ ଧର୍ମେନ୍ଦ୍ରଙ୍କ ଟାର୍ଗେଟ ପରେ ଏହାର କାଉଣ୍ଟର କରିଥିଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ | କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ପରୀକ୍ଷାକୁ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର PSU ସଂସ୍ଥା EdCIL କରିଥିଲା ବୋଲି କହି ବବି ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଥିଲେ | ତେବେ ବିଜେଡି ପକ୍ଷରୁ EdCILକୁ ସବୁ ଦୋଷ ଦିଆଯାଇଥିବାବେଳେ ଏବେ EdCIL ପ୍ରେସ ବିଜ୍ଞପ୍ତି ଜାରି କରି OSEPA ଉପରେ ଦୋଷ ଲଦିଛି | ତେବେ ଏହି ଦୋଷ ଲଦାଲଦି ମଧ୍ୟରେ ଆଶାୟୀ ମାନେ ଏବେ ବି ନିଜ ଚାକିରୀ ନେଇ ସନ୍ଦିହାନ ରହିଛନ୍ତି |





