ପୁଣି ପଲଟିବେ ନୀତୀଶ, ଏଭଳି ନଘଟିଲେ ମୁଁ ରାଜନୀତି ଛାଡ଼ିଦେବି: ପ୍ରଶାନ୍ତ କିଶୋର

 

ଭୁବନେଶ୍ୱର,୨୯/୧(ସତ୍ୟପାଠ ବ୍ୟୁରୋ):     ବିହାରରେ ଦଳବଦଳ କୁ ନେଇ ଚର୍ଚ୍ଚାରେ ଅଛନ୍ତି ନୀତିଶ କୁମାର । ଏନ୍‌ଡିଏ ସମର୍ଥନରେ ସେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଛନ୍ତି। ତେବେ ବିହାରରେ ନୀତୀଶ କୁମାରଙ୍କ ଏହି ଦଳବଦଳ ରଜନୀତିକୁ ନେଇ ଟାର୍ଗେଟ୍‌ କରିଛନ୍ତି ରାଜନୀତିର ରଣନୀତିଜ୍ଞ ପ୍ରଶାନ୍ତ କିଶୋର।

ଦିନେ ନୀତୀଶ କୁମାରଙ୍କ ନିକଟତର ଥିବା ପ୍ରଶାନ୍ତ କିଶୋର କରିଛନ୍ତି କଡା ଟିପ୍ପଣୀ। ନୀତୀଶ କୁମାର ଲୋକଙ୍କୁ ବାରମ୍ବାର ବୋକା ବନାଉଥିବା ସେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ନୀତୀଶ କୁମାର ଜଣେ ଧୃତ ଅଟନ୍ତି। ଆସନ୍ତା ବିହାର ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସେ ବିଜେପି ସହ ମେଣ୍ଟରେ ରହିବେ ନାହିଁ। ପୁଣି ଥରେ ସେ ପଲଟି ଯିବେ। ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ପ୍ରଶାନ୍ତ କିଶୋର।

ସେ ଅହୁରି କହିଛନ୍ତି, ଆସନ୍ତା ବିଧାନସଭା ନିର୍ବାଚନରେ ୨୦ରୁ କମ ଜେଡିୟୁ ବିଧାୟକ ଜିତିବେ। ଏହା ଲେଖିକି ରଖ। ଯଦି ଏହା ନ ହୁଏ ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି। ନୀତୀଶ କୁମାର ଚତୁର ନୁହଁନ୍ତି ବରଂ ଜଣେ ଧୃତ ଅଟନ୍ତି। ସମଗ୍ର ବିହାରର ୧୩ କୋଟି ଲୋକଙ୍କୁ ସେ ବୋକା ବନାଉଛନ୍ତି। ତାଙ୍କୁ ଧୋକା ଦେଉଛନ୍ତି। ଆଗାମୀ ନିର୍ବାଚନରେ ଜନତା ଏହାର ଗୋଟି ଗୋଟି ହିସାବ ନେବେ।

ମୁଁ ହିଁ ଏକମାତ୍ର ବ୍ୟକ୍ତି ଯିଏକି ନୀତୀଶ କୁମାର ଯେକୌଣସି ମୁହୂର୍ତ୍ତରେ ପଲଟିପାରନ୍ତି ବୋଲି କହିଥିଲି। ଆଉ ଆଜି ତାହା ପ୍ରମାଣିତ ହୋଇଛି। ନୀତୀଶ କୁମାର ପାଲଟୁରାମ ନୁହଁନ୍ତି ବରଂ ପାଲଟୁରାମଙ୍କ ସରଦାର। ଲୋକେ ଏହା ଜାଣି ସାରିଲେଣି। ଆଜିର ଘଟଣାବଳି ଦର୍ଶାଇଛି ଯେ ବିହାରର ସମସ୍ତ ନେତା କିମ୍ବା ଦଳ ପାଲଟୁରାମ ଅଟନ୍ତି। ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ନରେନ୍ଦ୍ର ମୋଦି, ଅମିତ ଶାହା ଏବଂ ବିଜେପି ମଧ୍ୟ ସମାନ ପାଲଟୁରାମ ଅଟନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

Related Posts