ରାଜ୍ୟସଭା ଗଲେ ଅଶ୍ବିନୀ; କିଏ ପାଇବ ଲାଭ, ଆଉ କିଏ ସହିବ କ୍ଷତି?

ଭୁବନେଶ୍ୱର,୧୭/୨ (ସତ୍ୟପାଠ ବ୍ୟୁରୋ): ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ହେଲେ ଏହା ପୂର୍ବରୁ ରାଜ୍ୟସଭା ନିର୍ବାଚନ ରାଜ୍ୟ ରାଜନୀତିକୁ ସରଗରମ କରିଛି | ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ନଥାଇ ମଧ୍ୟ ବିଜେଡି ସମର୍ଥନରେ ରାଜ୍ୟସଭା ଯାଇଛନ୍ତି ଦଳର ପ୍ରାର୍ଥୀ ତଥା କେନ୍ଦ୍ର ରେଳ ଓ ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ | ରାଜ୍ୟର ମୁଖ୍ୟ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ପୁଣି ସମର୍ଥନ କରିଛି ଶାସକ ଦଳ, ଯାହା ଆଗାମୀ ନିର୍ବାଚନରେ କେଉଁ ଦଳକୁ କେତେ ଲାଭ ଓ କ୍ଷତି ପହଞ୍ଚାଇବ ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି |

ତେବେ ବାସ୍ତବରେ ଦେଖିବାକୁ ଗଲେ ଏ ପୁରା ଘଟଣାରୁ ଯଦି କେଉଁ ଗୋଟିଏ ଦଳ ସବୁଠାରୁ ଅଧିକ ଫାଇଦା ନେବା କଥା ସେ ହେଉଛି କଂଗ୍ରେସ | ହେଲେ ଅଶ୍ବିନୀଙ୍କ ପ୍ରାର୍ଥୀତ୍ବକୁ ବିଜେଡିର ସମର୍ଥନ ପରେ ଏହାକୁ ବିଜେଡି ଓ ବିଜେପିର ବୈବାହିକ ମେଣ୍ଟ କହିଲେ ରାଜ୍ୟ କଂଗ୍ରେସର ପ୍ରଭାରୀ ଅଜୟ କୁମାର | ଆଉ ପ୍ରଭରୀଙ୍କ କଥାରେ ପାଳି ଧରି କଂଗ୍ରେସ ନେତା ଏବେ ଚୁପ ବସିଛନ୍ତି | ସେପଟେ ଅଶ୍ବିନୀ ରାଜ୍ୟସଭା ଯିବା ପରେ ରାଜ୍ୟ ବିଜେପିର ଶିବିର ପୁରା ହତାଶ | ବିଜେପିର ରାଜ୍ୟ ନେତୃତ୍ୱ ବିଜେଡି ବିରୋଧରେ ତୃଣମୂଳ ସ୍ତରରେ ଯେଉଁ ହାୱା ତିଆରି କରିଥିଲେ ଅଶ୍ବିନୀ ବୈଷ୍ଣବଙ୍କ ଉଚ୍ଚାକାଂକ୍ଷା ଓ ରାଜ୍ୟସଭା ଯିବା ମୋହ ଯୋଗୁଁ ଏବେ ସେ ହାୱା ବିପରୀତ ଦିଗରେ ବହିବା ଆରମ୍ଭ କଲାଣି | ବିଜେପିର କର୍ମୀମାନେ କେଉଁ ମୁହଁରେ ବିଜେଡ଼ିକୁ ଟାର୍ଗେଟ କରିବେ ସେନେଇ ଦ୍ବନ୍ଦରେ ପଡିଲେଣି | ଏଭଳି ସ୍ଥିତିରେ ବିଜେପି ଗୋଟିଏ ରାଜ୍ୟସଭା ଆସନ ପାଇ ସାଧାରଣ ନିର୍ବାଚନରେ ବଡ଼ କ୍ଷତି ସହିବ ବୋଲି ଏବେ ଚାରିଆଡେ ଚର୍ଚ୍ଚା ହେଉଛି |

ଅନ୍ୟପଟେ ଗୋଟିଏ ରାଜ୍ୟସଭା ଆସନ ଦେଇ ମଧ୍ୟ ବିଜେଡି ସବୁଠାରୁ ବେଶୀ ଫାଇଦାରେ ରହିବ ବୋଲି କୁହାଯାଉଛି | କାରଣ, ରାଜ୍ୟସଭା ପାଇଁ ସମର୍ଥନ ନେବାପରେ ବିଜେପି ଏବେ ପୁରା ମୈଦାନରୁ ଆଉଟ ହୋଇଯାଇଛି | ଆଉ ଏ ପୁରା ଘଟଣାରୁ ଯେଭଳି ଫାଇଦା ନେବା କଥା କଂଗ୍ରେସ ତାକୁ ହାତ ଛଡା କରି ସାରିଛି | ଏଭଳି ସ୍ଥିତିରେ ଅଶ୍ବିନୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରି ବିଜେଡି ସବୁଠାରୁ ବେଶୀ ଲାଭରେ ରହିବ ବୋଲି ଆକଳନ କରାଯାଉଛି |

Related Posts