ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ବାଲେଶ୍ବର ସହରର ଏକ ଘରୋଇ ପାର୍କରେ ଅନୁଷ୍ଠିତ ସିକିମ ପଟା ବଣ୍ଟନ କାର୍ଯ୍ଯକ୍ରମରେ ବାଲେଶ୍ଵର ଜିଲ୍ଲାପାଳ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି । ଖୋଦ୍ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯ ଜିଲ୍ଲା ପ୍ରଶାସନ ତାଙ୍କୁ ସିକିମ ପଟା ବଣ୍ଟନ କାର୍ଯ୍ଯକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ।କାର୍ଯ୍ୟକ୍ରମ ସ୍ଥଳକୁ ଯିବାପରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ ଓ ସଦର ବିଧାୟକ ସ୍ବରୂପ ଦାସ ଓ ଜଳେଶ୍ଵର ବିଧାୟକ ତଥା ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କୁ ମଞ୍ଚରେ ବସିବାକୁ ଦିଆଯିବା ବେଳେ ତାଙ୍କୁ ମଞ୍ଚରେ ବସିବାକୁ ଚଉକି ଦେଇନଥିଲେ। ତାଙ୍କୁ ତଳେ ବସିବା ପାଇଁ ବ୍ଯବସ୍ଥା ହେଇଥିଲା। ବିଧି ବ୍ୟବସ୍ଥା ମୁତାବକ ଜଣେ ବିଧାୟକ ରାଜ୍ୟର ମୁଖ୍ଯ ଶାସନ ସଚିବଙ୍କ ଠାରୁ ଉପରେ। ଏ କ୍ଷେତ୍ରରେ ଜଣେ ସାଂସଦ ବିଧାୟକଙ୍କ ଠାରୁ ଅନେକ ଉର୍ଦ୍ଧ୍ବରେ ଓ ଜଣେ ଜିଲ୍ଲାପାଳ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଅନେକ ତଳେ। ଜିଲ୍ଲାପାଳ କୋଉ ସାହସରେ ନିଜେ ମଞ୍ଚରେ ବସିଥିବା ବେଳେ ଜଣେ ସାଂସଦଙ୍କୁ ତଳେ ବସିବା ପାଇଁ କହୁଛନ୍ତି ? ବୋଲି ସେ ପ୍ରଶ୍ନ କରିଥିଲେ । ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ହେଁ ବାସ୍ତବରେ ବିଜେଡ଼ିର ଦଳୀୟ କାର୍ଯ୍ୟକ୍ରମ ଭଳି ପରିଣତ ହୋଇଥିଲା ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ଯେହେତୁ ସାଂସଦ ବିଜେପି ଦଳର ହେଇଥିବାରୁ ତାଙ୍କୁ ତଳେ ବସିବାକୁ ଦିଆଯାଇଥିଲା। ବିଜେଡ଼ି ଶାସନରେ ବାରଂବାର ଗଣତାନ୍ତ୍ରିକ ପଦ୍ଧତି ଉପରେ କୁଠାରାଘାତ କରାଯାଉଛି ଓ ଗଣତାନ୍ତ୍ରିକ ମୁଲ୍ୟବୋଧର ହତ୍ୟା ହେଉଛି। ସରକାରୀ କର୍ମଚାରୀମାନେ ବିଜେଡ଼ିର ଦଳୀୟ କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।





