ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଦେଶୀ ଯୁବତୀଙ୍କୁ ଅସଦାଚରଣ କରି ବନ୍ଧାହେଲେ ସେବାୟତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଦେଶୀ ଯୁବତୀଙ୍କୁ ଅସଦାଚରଣର ଘଟଣାରେ ସେବାୟତ କୁଣ୍ଡୁ ମହାପାତ୍ରକୁ ପୁଲିସ ଗିରଫ କରିଛି। ତାଙ୍କର ଘର ପୁରୁଣା ଭୁବନେଶ୍ବରରେ। ଲିଙ୍ଗରାଜ ଥାନା ପୁଲିସ ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୫୪, ୩୫୪ ଏରେ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, କୁଣ୍ଡୁ ପ୍ରତିଦିନ ଶ୍ରୀଲିଙ୍ଗରାଜ ମନ୍ଦିରକୁ ସେବା କରିବାକୁ ଯାଏ। ସୋମବାର ଅପରାହ୍ନ ପ୍ରାୟ ୨ଟାରେ ଲର୍ଡ କର୍ଜନ ମଣ୍ଡପ ନିକଟରେ ଜଣେ ବିଦେଶୀ ଯୁବତୀ ଏକୁଟିଆ ବୁଲୁଥିବା ବେଳେ କୁଣ୍ଡୁ ତାଙ୍କ ସହ କଥା ହୋଇଥିଲା। ସେ ତାଙ୍କୁ ମନ୍ଦିର ବୁଲାଇବା ସହିତ ମନ୍ଦିର ସମ୍ପର୍କରେ ବୁଝାଇବ ବୋଲି କହିଥିଲା। ଏହାପରେ ସେ ଉକ୍ତ ବିଦେଶିନୀଙ୍କୁ ନିକଟରେ ଥିବା ଚିତ୍ରକାରିଣୀ ମନ୍ଦିର ପରିସରକୁ ନେଇଥିଲା। ମନ୍ଦିର ପରିସର ନିଚ୍ଛାଟିଆ ଥିଲା। କୁଣ୍ଡୁ ବିଦେଶିନୀଙ୍କୁ ମନ୍ଦିରର ଗଣେଶଙ୍କ ପାଖକୁ ନେଇଥିଲା। ସେଠାରେ ହାତଯୋଡ଼ି ପ୍ରାର୍ଥନା କରିବାକୁ କହିଥିଲା। ବିଦେଶିନୀ ଜଣକ ତା’କଥା ମାନି ଆଖି ବନ୍ଦକରି ଠିଆ ହୋଇଥିବା ବେଳେ କୁଣ୍ଡୁ ତାଙ୍କ ସହ ଅସଦାଚରଣ କରିଥିଲା। ବିଦେଶିନୀ ଜଣକ ‘ହ୍ବାଟ୍ ଇଜ୍ ଦିସ୍?’ (ଏସବୁ କ’ଣ?) ପଚାରିବାରୁ କୁଣ୍ଡୁ କୁଆଡ଼େ ଉତ୍ତର ଦେଇଥିଲା, ‘‘ଇଟ୍ ଇଜ୍ ଆୱାର୍ କଲଚର୍’ (ଏହା ଆମର ପରଂପରା/ସଂସ୍କୃତି)। ଏହା ପରେ ବିଦେଶିନୀ ଜଣକ ଚିତ୍କାର କରି ବାହାରକୁ ଦୌଡ଼ି ପଳାଇଥିଲେ। ଦୌଡ଼ି ଦୌଡ଼ି ସେ ପୁଲିସ ଓ ଲୋକ ଗହଳି ଥିବା ଲିଙ୍ଗରାଜ ମନ୍ଦିର ଆଗକୁ ଚାଲି ଯାଇଥିଲେ। ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକ ଓ ପୁଲିସ ପହଞ୍ଚିଥିଲେ। ବିଦେଶିନୀଙ୍କ ଗାଇଡ୍ ମଧ୍ୟ ଆସି ପହଞ୍ଚିଥିଲେ।

ପରେ ବିଦେଶିନୀ ଏ ଘଟଣାକୁ ନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। କୁଣ୍ଡୁ ସହିତ କଥା ହେବା ଭିତରେ ସେ ତା’ର ଏକାଧିକ ଫଟୋ ଉଠାଇଥିଲେ। ସେହି ଫଟୋରୁ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ଏହି ଯୁବତୀ ଜଣକ ସୁଇଡେନ୍ରୁ ଆସି ଭାରତର ବିଭିନ୍ନ ମନ୍ଦିର ଓ ଏଠାକାର ସଂସ୍କୃତି ଉପରେ ଗବେଷଣା କରୁଛନ୍ତି ବୋଲି ଜଣାପଡ଼ିଛି। ପୁଲିସ କୁଣ୍ଡୁକୁ ଅଟକ ରଖି ପଚରାଉଚରା ଚଳାଇଥିଲା।

Related Posts