ବିଜେପିରେ ମିଶିଲେ ନାଲକୋର ପୂର୍ବତନ ସିଏମଡି ତପନ ଚାନ୍ଦ

 ଭୁବନେଶ୍ୱର,୦୬/୩(ସତ୍ୟପାଠ ବ୍ୟୁରୋ): ନାଲକୋର ପୂର୍ବତନ ସିଏମଡି ଡକ୍ଟର ତପନ ଚାନ୍ଦ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା। ‌ଡକ୍ଟର ତପନ ଚାନ୍ଦ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସହ ଛାତ୍ରଜୀବନରେ ଜଡ଼ିତ ଥିଲେ।ସେ ଉତ୍କଳ ବିଶ୍ବବିଦ୍ୟାଳୟ ଛ‌ାତ୍ରସଂସଦର ସଭାପତି ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ।

ସିଆଇଆଇ ଏବଂ ଆଲୁମିନିୟମ ଆସୋସିଏସନ ଅଫ୍ ଇଣ୍ଡିଆର ନେତୃତ୍ୱ ନେଇଥିଲେ । ବର୍ତମାନ ସେ ବେଦାନ୍ତ ଭଳି ତୁଙ୍ଗ ବହୁରାଷ୍ଟ୍ରୀୟ କମ୍ପାନୀର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି । ସେ ଆଇଆଇଏମ୍ ପରଫରମାନ୍ସ ଇଭାଲୁଏସନ୍ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି । ବୋର୍ଡ ଅଫ୍ ଆଡଭାଇଜର୍ସ ଅଫ୍ ଏଆଇସି (ଅଟଳ ଇନ୍‌କ୍ୟୁବେସନ ସେଣ୍ଟର) –ଏନ୍‌ଆଇଟିଏଫ୍ ର ଅଧ୍ୟକ୍ଷ ଭାବେ ଡ. ଚାନ୍ଦ ଯୁବକମାନଙ୍କୁ କର୍ମଚାରୀ ହେବା ପରିବର୍ରେ ଷ୍ଟାର୍ଟଅପ୍ ଏବଂ ବ୍ୟବସାୟ ପ୍ରତିଷ୍ଠା କରି ନିଯୁକ୍ତି ଦାତା ହେବା ପାଇଁ ଉତ୍ସାହିତ କରିଆସୁଛନ୍ତି ।

ଜଣେ ଶିଳ୍ପ ଉଦ୍ୟୋଗୀ ଭାବରେ ସରକାରୀ ଓ ଘରୋଇ ଉଦ୍ୟୋଗ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ସୁନାମ ରହିଛି । ବହୁ ସମ୍ମାନଜନକ ପୁରସ୍କାର ସହ ସମ୍ମାନିତ ହେବାସହ ଭାରତର ରାଷ୍ଟ୍ରପତିଙ୍କ ପକ୍ଷରୁ ସେ ସମ୍ମାନିତ ହୋଇସାରିଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶା ଏଚିଭର୍ସ ଆୱାର୍ଡ ଏବଂ ଏନ୍‌ଆଇପିଏମ୍ ପୁରସ୍କାର ମଧ୍ୟ ସେ ହାସଲ କରିଛନ୍ତି ।

ଏହି ମିଶ୍ରଣ ପର୍ବରେ ଅନ୍ୟ କେତେକ ପ୍ରାକ୍ତନ ସରକାରୀ ଅଧିକାରୀ ମଧ୍ୟ ଦଳରେ ମିଶିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Related Posts