ଭୁବନେଶ୍ୱର,୭/୩(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ-କଶ୍ମୀର ଗସ୍ତରେ ଯାଉଛନ୍ତି। ଧାରା ୩୭୦ ହଟାଇବା ପରେ ମୋଦିଙ୍କର ଏହା ପ୍ରଥମ ଗସ୍ତ। ଶ୍ରୀନଗରରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ ଏକ ନିର୍ବାଚନ ସଭାରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିବର କାର୍ଯ୍ୟକ୍ରମ ରହିଛି। ମିଳିଥିବା ସରକାରୀ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ‘ଡେଭଲପମେଣ୍ଟ ଇଣ୍ଡିଆ, ଜମ୍ମୁ କାଶ୍ମୀରର ବିକାଶ’ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିସହ କେନ୍ଦ୍ର ଶାସିତ ଅଞ୍ଚଳରେ କୃଷି ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ପ୍ରାୟ ୫୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ସେ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ କୌଣସି ପ୍ରତିକୂଳ ପରିସ୍ଥିତି ନଘଟିବା ପାଇଁ ବକ୍ସି ଷ୍ଟାଡିୟମ୍ରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂରା ଷ୍ଟାଡିୟମକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗାଜିବା ସହ ପ୍ରଧାନମନ୍ତ୍ରୀ ଯେଉଁ ରାସ୍ତା ଦେଇ ଯିବେ ସେହି ରାସ୍ତାରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଭିଭିଆଇପି ଗସ୍ତ ପାଇଁ ଲୋକଙ୍କ ଗତିବିଧି ରୋକରାଯିବା ସହ ଅନେକ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଛି। ନିରାପତ୍ତା ପାଇଁ ଡ୍ରୋନ୍ ଏବଂ ସିସିଟିଭି କ୍ୟାମେରା ବ୍ୟବହାର କରାଯାଉଥିବାବେଳେ ସୁରକ୍ଷା ବାହିନୀ କାର୍ଯ୍ୟକ୍ରମ ସ୍ଥଳର ଦୁଇ କିଲୋମିଟର ବ୍ୟାସାର୍ଦ୍ଧରେ ପାଟ୍ରୋଲିଂ କରୁଛନ୍ତି।
ସେହିପରି ଝେଲମ୍ ନଦୀ ଓ ଡାଲ ଲେକ୍ ଠାରେ ସମୁଦ୍ର କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗରେ ପଡିଥିବା ଅନେକ ବିଦ୍ୟାଳୟ ବୁଧବାର ଏବଂ ଗୁରୁବାର ପାଇଁ ବନ୍ଦ ହୋଇଥିବାବେଳେ ଗୁରୁବାର ଦିନ ଧାର୍ଯ୍ୟ ହୋଇଥିବା ବୋର୍ଡ ପରୀକ୍ଷା ଆସନ୍ତା ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ଏବଂ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଘୋଷଣା କରିବାକୁ ବିରୋଧୀ ଦଳ ଦାବି କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋନି ଏହି ପ୍ରସଙ୍ଗରେ କ’ଣ କହିବେ ତାହା ଉପରେ ଆଜି ସମସ୍ତଙ୍କ ନଜର ରହିଛି।
ଉଲ୍ଲେଖଯୋଗ୍ୟ, ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଧାରା ୩୭୦ ବ୍ୟବସ୍ଥାକୁ ରଦ୍ଦ କରି ଜମ୍ମୁ କଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ।





