ଭୁବନେଶ୍ୱର,13/3(ସତ୍ୟପାଠ ବ୍ୟୁରୋ) : 2024 ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ଦ୍ୱିତୀୟ ପର୍ଯ୍ୟାୟରେ କର୍ଣ୍ଣାଟକ ଓ ମହାରାଷ୍ଟ୍ରର ସର୍ବାଧିକ ୨୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଏହି ତାଲିକାରେ ବିଜେପିର ଅନେକ ହେଭିୱେଟ ଓ କେନ୍ଦ୍ରମନ୍ତ୍ରୀଙ୍କ ନାଁ ରହିଛି।
ଆଗାମୀ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ନାଗପୁରରୁ ପ୍ରାର୍ଥୀ ହେବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ସେହିପରି ମୁମ୍ବାଇ ଉତ୍ତରରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ। ହିମାଚଳ ପ୍ରଦେଶର ହମିରପୁର ଆସନରୁ ପ୍ରାର୍ଥୀ ହେବେ ଅନୁରାଗ ଠାକୁର। ଏହା ସହ କର୍ଣ୍ଣାଟକ ହାବେରୀରୁ ଲଢ଼ିବେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ଧରୱାଡ଼ରୁ ପ୍ରାର୍ଥୀ ହେବେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସେହିପରି ବେଙ୍ଗଲୁରୁ ଦକ୍ଷିଣରୁ ପ୍ରାର୍ଥୀ ହେବେ ତେଜସ୍ୱୀ ସୂର୍ଯ୍ୟ | ସେପଟେ ହରିୟାଣର କର୍ଣ୍ଣଲ ଆସନରୁ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର। ଗତକାଲି ଖଟ୍ଟର ହରିୟାଣର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ |
ତେବେ ସବୁଠାରୁ ବଡ଼ କଥା ହେଉଛି ବିଜେପି ଜାରି କରିଥିବା ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ମଧ୍ୟ ଓଡ଼ିଶାର କୌଣସି ଆସନ ନାହିଁ। ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜେପି। ପ୍ରଥମ ତାଲିକାରେ ବି ଓଡ଼ିଶାର କୌଣସି ପ୍ରାର୍ଥୀ ଘୋଷଣା ନ ଥିଲା। ଓଡ଼ିଶାରେ ଜାରି ରହିଥିବା ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଭିତରେ ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାର ନାଁ ନ ରହିବା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି |
