କଂଗ୍ରେସ ଛାଡିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ, ବିଜେଡିରେ ମିଶିବେ!

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଂଗ୍ରେସରୁ ଇସ୍ତଫା ଦେଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ରାଜ୍ୟ କଂଗ୍ରେସ ବିଜେଡି-ବିଜେପିର ମେଣ୍ଟ ହେଲେ ଫାଇଦା ହେବ ବୋଲି ଉତ୍ସାହିତ ରହିଥିବା ବେଳେ ଦଳର ବିଧାୟକ ଇସ୍ତଫା ଦେଇଛନ୍ତି। ଯାହା ରାଜ୍ୟ କଂଗ୍ରେସକୁ ଗୋଟିଏ ବଡ଼ ଝଟକା ଲାଗିଛି।

ଖଡ଼ିଆଳ ବିଧାୟକ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଦୀର୍ଘ ୧୫ ବର୍ଷ ଧରି କଂଗ୍ରେସରେ କାମ କରିବାକୁ ସୁଯୋଗ ପାଇଥିବାରୁ ସେ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କଂଗ୍ରେସ ଛାଡ଼ିବା ପରେ ଅଧିରାଜ କହିଛନ୍ତି, ଖଡ଼ିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡ଼ିଛି। କେଉଁ ଦଳକୁ ଯିବି କାଲି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କହିବି। ୨୦୨୪ରେ ନିଶ୍ଚିତ ଖଡ଼ିଆଳରୁ ନିର୍ବାଚନ ଲଢ଼ିବି। ଓଡ଼ିଶାରେ କଂଗ୍ରେସ ଭଲ ସ୍ଥିତିରେ ନାହିଁ, ଦୁର୍ବଳ ହୋଇଯାଇଛି। ତେବେ କଂଗ୍ରେସରେ କୌଣସି ନେତାଙ୍କ ସହ ମୋର ମତାନ୍ତର ନାହିଁ।

୨୦୧୯ ନିର୍ବାଚନରେ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୫୯, ୩୦୮ ଖଣ୍ଡ ଭୋଟ୍ ପାଇଥିଲେ। ବିଜେଡି ନେତା ଲମ୍ବୋଦର ନିଆଲ ୫୬,୪୫୧ ଖଣ୍ଡ ଭୋଟ ପାଇ ହାରି ଯାଇଥିଲେ। ୨୦୧୪ରେ ଶ୍ରୀ ପାଣିଗ୍ରାହୀ ଏହି ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।

କିନ୍ତୁ ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୨୦ ଅର୍ଥାତ ଆସନ୍ତାକାଲି ସେ ଶାସକ ଦଳ ବିଜୁ ଜନତା ଦଳରେ ଯୋଗ ଦେବାର ସୂଚନା ରହିଛି। ତେବେ ୯ ରୁ ୯୦ ଆସନ ଜିତିବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଆହ୍ବାନ ଦେଇଥିବା ବେଳେ ଏବେ ନିର୍ବାଚନ ପୂର୍ବରୁ କଂଗ୍ରେସର ବିଧାୟକ ସଂଖ୍ୟା ୮ କୁ ଖସିଆସିଛି। ଯାହା ପିସିସି ସଭାପତିଙ୍କ ନେତୃତ୍ୱ ଉପରେ ବଡ ପ୍ରଶ୍ନ ଚିହ୍ନ ଲଗାଇଛି।

Related Posts