କଟକ(ସତ୍ୟପାଠବ୍ୟୁରୋ): କଟକ ବଡ଼ ମେଡିକାଲ୍ ଏସସିବିରୁ ଆସିଛି ଚାଞ୍ଚଲ୍ୟକର ଅଭିଯୋଗ । ନିଶାମୁକ୍ତ ହେବା ପାଇଁ ମେଡିକାଲ୍‌କୁ ଆସିଥିବା ଜଣେ ରୋଗୀଙ୍କୁ ସୁରକ୍ଷାକର୍ମୀ ପିଟିପିଟି ମାରିଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ ଏବେ ଏସସିବି ପରିସରରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ, ଯାଜପୁର ଅଞ୍ଚଳର ଜଣେ ରୋଗୀ ନିଶାମୁକ୍ତି ଚିକିତ୍ସା ପାଇଁ କଟକ ଏସସିବିର ମାନସିକ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ଆସିଛି ସାଂଘାତିକ ଅଭିଯୋଗ ।

ପରିବାର ଲୋକଙ୍କ ଅଭିଯୋଗ ହେଉଛି, ରୋଗୀଙ୍କୁ ସୁରକ୍ଷାକର୍ମୀମାନେ ମାଡ଼ ମାରିଥିଲେ । ଏପରିକି ମାଡ଼ରେ ଗୁରୁତର ହୋଇ ରୋଗୀଙ୍କ ମୃତ୍ୟୁ ଘଟିଥିବା ପରିବାର ଅଭିଯୋଗ କରିଛି । ମୃତଦେହରେ ମାଡ଼ର ଅନେକ କ୍ଷତ ଚିହ୍ନ ଥିବା ନେଇ ମଧ୍ୟ ପରିବାର ପକ୍ଷରୁ ଦାବି କରାଯାଇଛି। ଘଟଣାକୁ ନେଇ ମୃତକଙ୍କ ପତ୍ନୀ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପ୍ରକୃତରେ ରୋଗୀଙ୍କ ମୃତ୍ୟୁ କେମିତି ହେଲା, ମୃତ୍ୟୁ ପୂର୍ବରୁ ତାଙ୍କ ସହ କ’ଣ ଘଟିଥିଲା ଏବଂ ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।