ସବୁ କଳ୍ପନା ଜଳ୍ପନାର ଅନ୍ତ; ଆମେଠୀ ନୁହଁ ରାୟବରେଲୀରୁ ଲଢ଼ିବେ ରାହୁଲ

ଭୁବନେଶ୍ୱର,୦୩/୫(ସତ୍ୟପାଠ ବ୍ୟୁରୋ):   ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ କଂଗ୍ରେସ ଆମେଥି ଓ ରାୟବରେଲୀ ପାଇଁ ଘୋଷଣା କରିଛି ପ୍ରାର୍ଥୀଙ୍କ ନାଁ। ଏଥର ଆମେଥିରୁ ନୁହେଁ ଉତ୍ତର ପ୍ରଦେଶ ରାୟବରେଲୀରୁ ଲଢ଼ିବେ ରାହୁଲ ଗାନ୍ଧି ।

AICC ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏଥିସହ ଆଜି ହିଁ ରାହୁଲ ଗାନ୍ଧି ନିଜ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି। ଏହାବାଦ ଆମେଥିରୁ କିଶୋରୀଲାଲ ଶର୍ମାଙ୍କୁ ମଇଦାନକୁ ଓହ୍ଲାଇଛି କଂଗ୍ରେସ।

ରାୟବରେଲୀ ଆସନରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଥିରେ ପୂର୍ଣ୍ଣଛେଦ ପଡ଼ିଛି। ଏଥର ବି ପ୍ରିୟଙ୍କା ସିଧାସଳଖ ମଇଦାନକୁ ନ ଓହ୍ଲାଇ ପ୍ରଚାରରେ ନିୟୋଜିତ ରହିବେ ବୋଲି ସ୍ପଷ୍ଟ ହୋଇଛି।

୨୦୦୪ରୁ ୨୦୧୯ ଯାଏ ରାହୁଲ ଗାନ୍ଧି ଆମେଠି ଆସନରୁ ଜିତି ଆସୁଥିଲେ। ୨୦୧୪ରେ ତାଙ୍କର ଲଢ଼େଇ ପ୍ରଥମଥର ପାଇଁ ବିଜେପିର ସ୍ମୃତି ଇରାନୀଙ୍କ ସହ ହୋଇଥିଲା। କିନ୍ତୁ ରାହୁଲ ବାଜି ମାରି ନେଇଥିଲେ।

୨୦୧୯ରେ ସ୍ମୃତି ଇରାନୀ ବେଶ ଚମତ୍କାର ଢଙ୍ଗରେ ରାହୁଲ ଗାନ୍ଧିଙ୍କୁ ହରାଇ ଦେଇଥିଲେ। ୨୦୧୯ରେ ରାହୁଲ ଆମେଠି ସହ କେରଳର ୱାୟନାଡରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ। ଆମେଠିରୁ ହାରିଥିଲେ ମଧ୍ୟ ୱାୟନାଡରୁ ଜିତି ସେ ଲୋକସଭାକୁ ଯାଇଥିଲେ।

ଏଥର ମଧ୍ୟ ସେ ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି। ସେଠାରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ହୋଇଥିଲା। ଏବେ ସେରାୟବରେଲୀରେ ବି ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।

ଆମେଠି ଓ ରାଏବରେଲୀରେ ଆସନ୍ତା ୨୦ ତାରିଖରେ ଭୋଟିଂ ହେବ। ଦେଶର ୫ମ ପର୍ଯ୍ୟାୟ ଭୋଟିଂରେ ଲୋକମାନେ ଏଠାରେ ମତାଧିକାର ସାବ୍ୟସ୍ତ କରିବେ।

Related Posts