ସୁଜାତା ପାଣ୍ଡିଆନଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ; ମିଶନ ଶକ୍ତି ସଚିବ ପଦରୁ ହଟାଇଲେ ନିର୍ବାଚନ କମିଶନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପା ବଡ ଝଟକା। ତତ୍କାଳ ପ୍ରଭାବରୁ ତାଙ୍କୁ ମିଶନ ଶକ୍ତି ବିଭାଗର ସଚିବ ପଦରୁ ହଟାଇବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ କଳ ଓ କ୍ଷମତାର ଦୁରୂପଯୋଗ କରି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବା ପାଇଁ ସୁଜାତା ଚାପ ପକାଉଥିବ ବିଜେପି ଅଭିଯୋଗ କରିବା ପରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଯାଯାଇଛି ।

ବିଜେପି ଆଜି ନିର୍ବାଚନ କମିଶନଙ୍କୁ ଭେଟି ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା । ନିର୍ବାଚନ କମିଶନ ବିଳମ୍ବିତ ରାତିରେ ସୁଜାତାଙ୍କୁ ସର୍ବସାଧାରଣ ଲୋକଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ବିଜେପିର ବରିଷ୍ଠ ନେତ୍ରୀ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟି ଓଡ଼ିଶାରେ ମହିଳା ଭୋଟରମାନଙ୍କୁ ଧମକଚମକ ଦିଆଯାଇ ବିଜେଡି ସପକ୍ଷରେ ଭୋଟ୍ ଦେବା ନିମନ୍ତେ ଚାପ ପକାଯାଉଥିବାର ଲିଖିତ ଅଭିଯୋଗ କରିଥିଲେ । ଭୋଟରଙ୍କୁ ସଚେତନ କରାଇବା ପାଇଁ ଜାତୀୟ ନିର୍ବାଚନ କମିଶନ ଏସଭିଇଇପି(ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ ଇଲେକ୍ଟ୍ରୋରାଲ ପ୍ରାଟିସପେକ୍ସନ) ଭଳି ଫ୍ଲାଗସିପ୍ କାର୍ଯ୍ୟକ୍ରମର ଦୁରୂପଯୋଗ କରି ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ କିଭଳି ମହିଳା ଏସଏଚଜି ସଦସ୍ୟମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଧମକଚମକ ଦେଉଛି ସେନେଇ ଅଭିଯୋଗ କରିଥିଲେ । ଏପରିକି ବିଜେଡିକୁ ଭୋଟ୍ ନଦେଲେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଓ ଋଣ ଦିଆଯିବ ନାହିଁ ବୋଲି ମହିଳା ଏସଏଚଜିଙ୍କୁ ଧମକ ଦିଆଯାଉଛି ବୋଲି ବିଜେପି ଅଭିଯୋଗ କରିଥିଲା । ଏହାସହିତ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସୁଜାତାଙ୍କୁ ତୁରନ୍ତ ମିଶନ ଶକ୍ତି ବିଭାଗରୁ ହଟାଇବାକୁ ବିଜେପି ଦାବି କରିଥିଲା ।

Related Posts