ଭୁବନେଶ୍ୱର,୧୩/୫(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ଆଜି ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଠିକ୍ ଆରମ୍ଭ ହୋଇଥିଲା ଏବଂ କିଛି ସ୍ଥାନରେ EVM ଖରାପ ଯୋଗୁ ମତଦାନ ବିଳମ୍ବ ହୋଇଥିଲା।
ମତଦାନ ପ୍ରକ୍ରିୟାକୁ ସୁଚାରୁରୂପେ ସୁନିଶ୍ଚିତ କରିବା ପାଇଁ ମୋଟ 17,000 ପ୍ଲାଟୁନ୍ ପୋଲିସ୍ ଫୋର୍ସ, ପାରାମିଲିଟାରୀ ଫୋର୍ସର 104 କମ୍ପାନୀ, 66 ପ୍ଲାଟୁନ୍ SAP ଏବଂ 600 ମୋବାଇଲ୍ ସ୍ୱାଡ ନିୟୋଜିତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଆପାତତଃ ମୋଟ ୬୫.୦୩ପ୍ରତିଶତ ଭୋଟ୍ ପଡ଼ିଥିବାବେଳେ ବ୍ରହ୍ମପୁର ବିଧାନସଭାରେ ସବୁଠୁ କମ୍ ୫୪.୧୪% ଓ ନବରଙ୍ଗପୁର ବିଧାନସଭା ଆସନରେ ସର୍ବାଧିକ ୭୩.୪୪% ଭୋଟ୍ ପଡ଼ିଛି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ରାତି ୧୦ଟା ୩୦ ସୁଦ୍ଧା ଓଡ଼ିଶାର ଭୋଟହାର ପରିମାଣ ଏହା ରହିଥିବା ଜଣାପଡ଼ିଛି।
ନିର୍ବାଚନ କମିଶନଙ୍କ ଆପ୍ ଅନୁସାରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ୬୧.୧୪%, କଳାହାଣ୍ଡିରେ ୬୮.୫୦%,କୋରାପୁଟରେ ୬୧.୪୩% ଓ ନବରଙ୍ଗପୁର ଲୋକସଭା ଆସନରେ ୬୮.୭୪% ମତଦାନ ହୋଇଛି । ସେହିପରି ବ୍ରହ୍ମପୁର ବିଧାନସଭା ଆସନରେ ୫୪.୧୪% ଭୋଟ ପଡ଼ିଥିବାବେଳେ ଭବାନୀପାଟଣାରେ ୬୨.୦୨%, ବିଷମକଟରେ ୬୭.୯୯%, ଛତ୍ରପୁରରେ ୫୪.୬୫%, ଚିକିଟିରେ ୬୦.୦୪%, ଚିତ୍ରକୋଣ୍ଡାରେ ୬୫.୦୧%, ଡାବୁଗାଁରେ ୭୧.୩୦%, ଦିଗପହଣ୍ଡିରେ ୬୨.୭୩%, ଗୁଣୁପୁରରେ ୫୭.୪୪%, ଜୟପୁରରେ୬୬.୫୮%, ଖଡ଼ିଆଳରେ ୭୨.୫୭%, ଜୋରାପୁଟରେ ୬୫.୬୭%, ଲକ୍ଷ୍ମୀପୁରରେ ୫୮.୬୬% ଓ ମାଲକାନଗିରି ବିଧାନସଭାରେ ୬୬.୬୦% ମତଦାନ ହୋଇଛି । ଏହି ଆପାତତଃ ମତଦାନ ହାର ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ଆପରେ ଅପଡେଟ୍ ହୋଇଥିବା ତଥ୍ୟ ଉପରେ ପର୍ଯ୍ୟବେସିତ । ଏହି ମତଦାନ ହାର ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ୨ ପ୍ରିଜାଇଡିଂ ଅଫିସରଙ୍କୁ ସସପେଣ୍ଡ ସହ ଗିରଫ କରିବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା CEO ସୂଚନା ଦେଇଛନ୍ତି। ଛତ୍ରପୁରର ୨୭ ଓ ୧୬୩ ନଂ ବୁଥର ପ୍ରିଜାଇଡିଂ ଅଫିସର ଡ୍ୟୁଟିରେ ଗୁରୁତର ଅବହେଳା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗୋପାଳପୁରର ୧୯୩ ନଂ ବୁଥର ପ୍ରିଜାଇଡିଂ ଅଫିସରଙ୍କୁ ମଧ୍ୟ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ, ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, ନବରଙ୍ଗପୁର,କୋରାପୁଟ ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ହୋଇଛି । ଅଳ୍ପ କିଛି ସ୍ଥାନରେ ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍, ବାଲାଟ ୟୁନିଟ୍ ଓ ଭିଭିପାଟରେ ତ୍ରୁଟି ଦେଖାଦେବାରୁ ମତଦାନ ସ୍ୱଳ୍ପ ସମୟ ପାଇଁ ବାଧାପ୍ରାପ୍ତ ରହିଥିଲା । କୋରାପୁଟ ଜିଲ୍ଲାର କୋଟିଆ ଅଂଚଳରେ ଚଳିତଥର ରେକର୍ଡ ପରିମାଣର ମତଦାନ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଏଠାର ୯ଟି ବୁଥରେ ମୋଟ ୭୬ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି।
ତେବେ ମାଓ ଅଧ୍ୟୁଷିତ ଅଞ୍ଚଳରେ ଚିତ୍ରକୋଣ୍ଡା ଓ ଆଖପାଖ ଅଞ୍ଚଳରେ ଶାନ୍ତିଶୃଙ୍ଖଳାରେ ମତଦାନ ସାରିଥିବା ବେଳେ କିଛି ସ୍ଥାନରେ ନିର୍ବାଚନକୁ ନେଇ ବିଶୃଙ୍ଖଳା ଦେଖାଦେଇଥିଲା ଏବଂ କିଛି ସ୍ଥାନରେ ଭୋଟ ବର୍ଜନ କରିଥିଲେ ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କୋକସରା ବ୍ଲକ ଗମ୍ଭାରୀଗୁଡା ପଂଚାୟତ ସର୍ଲିଗୁଡା ୧ ନମ୍ବର ୱାର୍ଡର ୧୦ ଗାଁରେ ବୁଥ ନଥିବା ଯୋଗୁଁ ବାସିନ୍ଦା ଭୋଟ ବର୍ଜନ କରିଥିଲେ। ସେହିପରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନାରାୟଣପାଟଣା ବ୍ଲକ ୧୭୩ନଂ ବୁଥରେ ସ୍ଥାୟୀ ରାସ୍ତା ଦାବିରେ ବୁଥ ବାହାରେ ଧାରଣା ଦେଖିବାକୁ ମିଳିଥିଲା। ଏହିଭଳି ଘଟଣା ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା।
ଅନ୍ୟପଟେ କିଛି ସ୍ଥାନରେ ଭୋଟ ଦେବାକୁ ନେଇ ଦୁଇ ଦଳର କର୍ମୀମାନେ ମୁହାମୁହି ହୋଇଥିବା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ସନ୍ଧ୍ୟା ୬ ଟା ସୁଦ୍ଧା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି। ସମସ୍ତ ପ୍ରାର୍ଥୀ ମାନଙ୍କର ଭାଗ୍ୟ EVMରେ ସିଲ ହୋଇଛି।





