ଓଡ଼ିଶାରେ ହାଇଭଲ୍ଟେଜ ପ୍ରଚାର; ଆଜି ଓଡିଶା ଆସୁଛନ୍ତି ଶାହା-ନଡ୍ଡା-ରାହୁଲ

ଭୁବନେଶ୍ୱର,୧୫/୫(ସତ୍ୟପାଠ ବ୍ୟୁରୋ):  ବିଜେପି ଫୋକସ୍‌ରେ ଓଡ଼ିଶା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ଦିନ କେଇଟା ପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହାରି ଭିତରେ ବିଜେପିର ହେଭିୱେଟ୍ ନେତା ଓଡ଼ିଶା ଗସ୍ତରେ ଆସୁଛନ୍ତି। ତେବେ ଆଜି ନିର୍ବାଚନ ପ୍ରଚାର ପାଇଁ ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଦିନ ୧୨ଟା ୩୦ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ଶାହ। ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ଅପରାହ୍ଣ ଗୋଟାଏ ୩୦ ମିନିଟରେ ଗଂଜାମ ଜିଲ୍ଲାର ସୋରଡ଼ାରେ ପହଞ୍ଚିବେ।

ସୋରଡ଼ାରେ ଦଳୀୟ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଶାହ । ଅପରାହ୍ନ ୩ଟା ୩୦ ମିନିଟରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ଯୋଗଦେବେ। ସେଠାରୁ ଫେରି ସନ୍ଧ୍ୟା ୬ଟାରେ କଟକରେ ଏକ ବିଶାଳ ରୋଡ ସୋରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ କଟକ ବାଲିଯାତ୍ରା ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ୍ ସହ ଶାହାଙ୍କ ରୋଡ୍ ସୋ ହେବାକୁ ଥିବା ରାସ୍ତାରେ ପୋଲିସ ପକ୍ଷରୁ ରିହରସାଲ କରାଯାଇଛି। 

ସେପଟେ ଆଜିଠୁ ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ବରରେ ଆୟୋଜିତ ଏକ ମହିଳା ସମାବେଶରେ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହ ସେ ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ପଦ୍ମପୁର ଓ ସୁନ୍ଦରଗଡ଼ରେ ଆୟୋଜିତ ହେବାକୁ ଥିବା ଜନସଭାରେ ଉଦବୋଧଦନ ଦେବା ନେଇ ବିଜେପି ସୂତ୍ରରୁ ସୂଚନା ମିଳିଛି।

ଏପଟେ ପ୍ରଚାର ପାଇଁ ଆଜି ବଲାଙ୍ଗିର ଗସ୍ତରେ ଆସୁଛନ୍ତି କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧି। ଏଥିପାଇଁ ଚଳଚଞ୍ଚଳ କଂଗ୍ରେସ କ୍ୟାମ୍ପ। ରାହୁଲ ହେଲିପ୍ୟାଡରେ ଓହ୍ଲାଇବା ପରେ ସହର ଭିତରେ ବାଇକ୍ ରାଲି କରି କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଏହା ପରେ କଳାମଣ୍ଡପ ପଡ଼ିଆରେ ସେ ଜନସଭାକୁ ଉଦବୋଧନ ଦେବାର କର୍ଯ୍ୟକ୍ରମ ରହିଛି।

ମେ’ ୨୦ରେ ତୃତୀୟ ଥର ପାଇଁ ନିର୍ବାଚନୀ ପ୍ରଚାରରେ ଓଡ଼ିଶା ଆସିବେ ପିଏମ ମୋଦି । ଭୁବନେଶ୍ୱର ଷ୍ଟାଇଲରେ ପୁରୀ ବଡ଼ଦାଣ୍ଡରେ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ । ପୁଣି ସେହିଦିନ କଟକ ଏବଂ ଅନୁଗୁଳରେ ସମାବେଶରେ ଯୋଗ ଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏସବୁ ନେତାଙ୍କ ବାଦ୍ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।

Related Posts