ନବୀନଙ୍କ ଖରାପ ସ୍ୱାସ୍ଥ୍ୟବସ୍ଥା ପଛରେ କାହାର ଷଡ଼ଯନ୍ତ୍ର ଅଛି କି ? ବାରିପଦାରେ ପ୍ରଶ୍ନ କଲେ ମୋଦି

ଭୁବନେଶ୍ୱର,୨୯/୫(ସତ୍ୟପାଠ ବ୍ୟୁରୋ):   ବାରିପଦା ସଭାରେ ରାଜ୍ୟ ସରକାରଙ୍କ ଉପରେ ଆଜି ପୁଣି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପ୍ରସଙ୍ଗ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଏବଂ ପ୍ରଶ୍ନ କରିଛନ୍ତି ଯେ ଅଚାନକ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଏତେ ମାତ୍ରାରେ ଖରାପ ହେଲା କେମିତି ?

ଏଥିପାଇଁ କିଏ ଦାୟୀ ? ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛରେ କାହାର ଷଡ଼ଯନ୍ତ୍ର ନାହିଁ ତ ? ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ପ୍ରଶ୍ନ ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଏବେ ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତାରେ ଅଛନ୍ତି । ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହେଲା ? ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ବି ହୋଇପାରେ ବୋଲି ସେ କହିଛନ୍ତି । ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ଅଛି କି ? ଏହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ଅଛି । ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଅଛି କି ବୋଲି ମଧ୍ୟ ମୋଦି ପ୍ରଶ୍ନ କରିଛନ୍ତି ।

ଲୋକଙ୍କ ମନରେ ଉଠୁଥିବା ଏହି ସମସ୍ତ ପ୍ରଶ୍ନ ଉପରୁ ବା ରହସ୍ୟ ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି । ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ । ଅଚାନକ କେମିତି ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ତା’ର ଯାଞ୍ଚ ମଧ୍ୟ କରାଯିବ ବୋଲି କହିଛନ୍ତି ମୋଦି ।

ଅନ୍ୟପଟେ ଆଜି ବାରିପଦା ସଭାରେ ପ୍ରଧାନମନ୍ତ୍ରୀ ମୋଦି ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି । ସେ କହିଛନ୍ତି ଆଜି ସାରା ଦେଶ ଜାଣିବାକୁ ଚାହୁଁଛି ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା । ଯାଞ୍ଚ ରିପୋର୍ଟରେ କାହାର ନାଁ ଅଛି, ସବୁଠୁ ବଡ଼ ପ୍ରଶ୍ନ । ବିଜେଡି ଯାହା ଲୁଚାଇବାକୁ ଚାହୁଁଛି, ବିଜେପି ତାର ଖୁଲାସା କରିବ ।

ତେବେ ମୋଦି ବାରିପଦା ସଭାରେ ପହଞ୍ଚିବା ପରେ ସଭା ଆରମ୍ଭରୁ କହିଥିଲେ ‘ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ । ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ ଉତ୍ସାହ ଦେଖିବାକୁ ପାଇଛି । ତୃତୀୟ ଥର ମଜବୁତ ମୋଦି ସରକାର ବନିବା ନିଶ୍ଚିତ ହୋଇଛି । ପୂର୍ଣ୍ଣ ବହୁମତ ସରକାର ପାଇଁ ଦେଶ ନିର୍ଣ୍ଣୟ କରିନେଇଛି ।’

ମୋଦି ଆଜି ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦେଉଛି । ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଏମିତି ମାଗଣା ରାସନ ମିଳିବ । ଆସନ୍ତା ୫ ବର୍ଷ ଭାରତର ବିକାଶ ପାଇଁ ଅଦ୍ଭୁତପୂର୍ବ ଉପଲବ୍ଧି ଦେବ । ଭାରତ ବିଶ୍ୱର ତୃତୀୟ ବୃହତ୍ତ ଅର୍ଥଶକ୍ତି ହେବାକୁ ଯାଉଛି । ବିଜେଡିର ୨୫ ବର୍ଷର ଶାସନରେ ଫୁଲଷ୍ଟପ୍‌ ଲଗାଇବାକୁ ଓଡ଼ିଶା ପ୍ରସ୍ତୁତ । ଜୁନ୍‌ ୧୦ରେ ବିଜେପିର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶପଥ ନେବେ । ଆଜି ଓଡ଼ିଶା କହୁଛି- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ ।

ଆଜି ଓଡ଼ିଶା କହୁଛି- ଦୁଇଥର ପଦ୍ମ, ଦୁଇ ଗୁଣ ବିକାଶ । ଓଡ଼ିଶା ଲୋକ ଚାହାଁନ୍ତି ମୋଦି ଗ୍ୟାରେଣ୍ଟି । ମୟୂରଭଂଜ ମାଟି ନାରୀ ସଶକ୍ତୀକରଣର ପ୍ରମୁଖ ସ୍ଥଳ । ମୟୂରଭଂଜରେ ଦେବୀ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣନ୍ତି । ଆଜି ମୟୂରଭଂଜର ଝିଅ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ବିଜେପି ସରକାର ଆଦିବାସୀ କଲ୍ୟାଣ ପାଇଁ ସମର୍ପିତ । ବିଜେପି ସାନ୍ତାଳି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲା ।

ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ବଡ଼ ସହଯୋଗ ମିଳିବ । ବିଜେପି ସରକାର ଆପଣଙ୍କ ବିଜୁଳି ବିଲ୍‌ ଶୂନ କରିବ । ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବା କ୍ଷଣି ଧାନ କୁଇଣ୍ଟାଲ ୩୧ଶହ ହେବ । ବିଜେଡି ଉପରେ ଆପଣମାନେ ୨୫ ବର୍ଷ ଭରସା କଲେ । ବିଜେଡି ସବୁକ୍ଷେତ୍ରରେ ଆପଣଙ୍କ ଭରସା ଭାଙ୍ଗିଲା । ବିଜେଡି ଆଦିବାସୀଙ୍କ ଜମି ହଡ଼ପ ପାଇଁ ଆଇନ ଆଣିଥିଲା । ବିଜେପି ଚାପରେ ବିଜେଡି ସେ ଆଇନ ପ୍ରତ୍ୟାହାର କରିଥିଲା ।

ଏଥର ମୌକା ମିଳିଲେ ବିଜେଡି ଆପଣଙ୍କ ଜମି ହଡ଼ପ ମୌକା ଛାଡ଼ିବନି । ଡିଏମ୍‌ଏଫରେ ହଜାର ହଜାର କୋଟି ଦେଇଛୁ, ବିଜେଡି ଘୋଟାଲା କଲା । ଲୁଟ୍‌ ମାଲ୍‌ ବିଦେଶକୁ ଯାଇଥିବା ବି ଚର୍ଚ୍ଚା ହେଉଛି । ଲୁଟ୍‌ ମାଲ୍‌ ଗୋଟି ଗୋଟି ଆଦାୟ ହେବ, ଏ ମୋଦି ଗ୍ୟାରେଣ୍ଟି । ଯିଏ ଲୁଟିଛନ୍ତି, ତାଙ୍କଠାରୁ ସବୁ ଅର୍ଥ ଆଦାୟ ହେବ । ଜନତାଙ୍କ ଲୁଟେରା ସାରା ଜୀବନ ଜେଲ୍‌ରେ ରହିବେ । ଜନତାଙ୍କ ଲୁଟେରା ପ୍ରତି କୌଣସି ସାଲିସ କରାଯିବ ନାହିଁ ।

Related Posts