ପ୍ରଜ୍ବଳ ରେବନ୍ନାଙ୍କୁ ବାନ୍ଧିଲା ଏସଆଇଟି

ଭୁବନେଶ୍ୱର,୩୧/୫(ସତ୍ୟପାଠ ବ୍ୟୁରୋ):   ନିଜ ଘରର ଚାକରାଣୀଙ୍କୁ ଦୁଷ୍କର୍ମ ଓ ଧମକ ଦେବା ମାମଲାର ଅଭିଯୁକ୍ତ ତଥା ଜେଡିଏସ୍‌ ସାଂସଦ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ‌ଏଚ୍ ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଳ ରେବନ୍ନାଙ୍କୁ ଗିରଫ କରିଛି ଏସଆଇଟି। ୩୫ ଦିନ ପ‌ରେ ସେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏସଆଇଟି ତାଙ୍କୁ ଗିରଫ କରିଥିବା ଜଣାଯାଇଛି। ପ୍ରଜ୍ବଳ ରେବନ୍ନା ୩୧ ତାରିଖ ୧୨ଟା ୪୬ ମିନିଟ ସମୟରେ ବିମାନରୁ ଅବତରଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ ଅଦାଲତରେ ହାଜର କରାଯିବ। ସେ ଜର୍ମାନୀରେ ଆତ୍ମଗୋପନ କରିଥିଲେ। ତାଙ୍କୁ ଫେରାଇ ଆଣିବାକୁ ଇଣ୍ଟରପୋଲ୍‌ର ବ୍ଲୁ କର୍ନର ନୋଟିସ୍‌ ଜାରି କରାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନୋଟିସ୍‌ ଜାରି କରିବା ସହ ସ୍ବତନ୍ତ୍ର କୂଟନୈତିକ ପାସ୍‌ପୋର୍ଟ ଖାରଜ କରିବାକୁ ମଧ୍ୟ ଚେତାବନୀ ଦେଇଥିଲା। ଏହାପରେ ସେ ଭାରତ ଫେରି ତଦନ୍ତରେ ସହଯୋଗ କରିବେ ବୋଲି କହିଥିଲେ।

ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି ସାଂସଦ ରେବନ୍ନା କିଛି ଦିନ ତଳେ ଜାରି କରିଥିବା ଭିଡିଓ ବାର୍ତ୍ତାରେ କହିଥିଲେ। ସେ ମେ ୩୧, ଶୁକ୍ରବାର ଭାରତ ଫେରିବେ ଓ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ତଦନ୍ତରେ ସହଯୋଗ କରିବେ ବୋଲି ସେ ସୂଚନା ଦେଇଥିଲେ। ନିର୍ଦ୍ଧାରିତ ଦିନ ସକାଳ ୧୦ଟାରେ ସେ ଏସ୍‌ଆଇଟି ସମ୍ମୁଖରେ ନିଶ୍ଚିତ ଉପସ୍ଥିତ ରହିବେ। ବିଚାରବିଭାଗ ପ୍ରତି ତାଙ୍କର ଆସ୍ଥା ରହିଛି। ତାଙ୍କ ବିରୋଧରେ ହୋଇଥିବା ମିଥ୍ୟା ମାମଲାରୁ ସେ କୋର୍ଟଙ୍କ ଦ୍ବାରା ମୁକୁଳି ଆସିବେ ବୋଲି କହିଥିଲେ।

Related Posts